IMG 20260225 WA0251

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୌତିକ ବିଜ୍ଞାନ ବିଭାଗ ଦ୍ୱାରା ଏକ ଜାତୀୟ ସଚେତନତା ଓ ସମ୍ବେଦୀକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ୨୫ରୁ ୨୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ହେଉଥିବା ଭାରତ ସରକାରଙ୍କ ପିଏମ-ଉଷା ଦ୍ୱାରା ପ୍ରାୟୋଜିତ “ଭୌତିକବିଜ୍ଞାନରେ ପ୍ରୟୋଗାଧାରିତ ଓ ସାଦ୍ଧାନ୍ତିକ ଗବେଷଣାର ସମ୍ଭାବନା” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଓ ଯୁବ ଗବେଷକମାନଙ୍କ ଉପକାର ନିମନ୍ତେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଇଁ ଭୌତିକ ବିଜ୍ଞାନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ ।  ନାଇଜର ଭୁବନେଶ୍ୱରର ପ୍ରଫେସର ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଓ ପ୍ରଫେସର କାର୍ତ୍ତିକେଶ୍ୱର ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭୌତିକବିଜ୍ଞାନର ବିଭିନ୍ନ କ୍ଷେତ୍ରର ସମ୍ଭାବନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ପିଏମ-ଉଷାର ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାଏକ ଭୌତିକବିଜ୍ଞାନର ବିଭିନ୍ନ ଶାଖାର ଭବିଷ୍ୟତ ସମ୍ଭାବନା ବିଷୟରେ ମତାମତ ରଖିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରଫେସର ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ନାଇଜରର ପ୍ରଫେସର ତପନ ମିଶ୍ର, ଭୌତିକୀ ସଂସ୍ଥାନ ଭୁବନେଶ୍ୱରର ପ୍ରଫେସର ଅରୁଣ କୁମାର ନାୟକ ଏବଂ ଆଇସିଟି-ଆଇଓସି ଭୁବନେଶ୍ୱରର ପ୍ରଫେସର ରମାକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଭାଗୀୟ ପ୍ରଫେସର ସୁସ୍ମିତା କର, ଡ. ଜ୍ୟୋତିରଞ୍ଜନ ସାହୁ ଓ ଡ. ଶ୍ରୀକୃଷ୍ଣ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Shrutilipi ad