IMG 20260213 WA0194

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ମୟୂରଭଞ୍ଜରୁ ପୁରୀ ଯାତ୍ରା କଲେ ୬୪ ତୀର୍ଥଯାତ୍ରୀ 

ରାଜ୍ୟ
ବାରିପଦା : ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ବାରିପଦାସ୍ଥିତ କଲେଜ ପଡ଼ିଆରେ ଏକ ସଭା ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବାରିପଦା ବିଧାୟକ ପ୍ରକାଶ ସୋରେନ ଉପସ୍ଥିତ ରହିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡଃ ମହାପାତ୍ର ଜଗନ୍ନାଥ ଦର୍ଶନ ଯୋଜନା ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ଉପଲବ୍ଧି ହୋଇପାରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହା ଏକ ଯୁଗାନ୍ତକାରୀ ଯୋଜନା ବୋଲି ଅଭିହିତ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଶ୍ରୀ ଖୁଣ୍ଟିଆ ଏହାଦ୍ୱାରା ଜଗନ୍ନାଥ ଦର୍ଶନର ଅଧୁରା ସ୍ୱପ୍ନ ସାକାର ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ବାରିପଦା ବିଧାୟକ ଶ୍ରୀ ସୋରେନ୍ ପୁରୀ ଦର୍ଶନର ଅଭିଳାଷ ଏହି ବୃଦ୍ଧ ଜୀବନରେ ସମସ୍ତଙ୍କ ଲକ୍ଷ୍ୟ ଥାଏ, ଥରୁଟିଏ ଶ୍ରୀମନ୍ଦିର ଯାଇ ବାଇଶି ପାହାଚ ଚଢିବା ପାଇଁ । ସାଧାରଣ ଲୋକର ମନର ଭାବନାକୁ ରୂପାନ୍ତରିତ କରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି । ଏହି ଅବସରରେ ଉପସ୍ଥିତ ଅତିଥିମାନେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ହିତାଧିକାରୀଙ୍କୁ କିଟ୍ ବ୍ୟାଗ ପ୍ରଦାନ କରିବା ସହ ସବୁଜ ପତାକା ଦେଖାଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବସ୍ ର ଶୁଭାରମ୍ଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସମୁଦାୟ ୬୪ ଜଣ ତୀର୍ଥଯାତ୍ରୀ ଦୁଇଟି ବସ୍ ମାଧ୍ୟମରେ ଯାଇଛନ୍ତି । ଏଥିରେ ଚାରିଜଣ ଏସକୋର୍ଟ ଅଧିକାରୀ ଓ ଦୁଇଜଣ ମେଡିକାଲ ଅଫିସର ମଧ୍ୟ ତୀର୍ଥଯାତ୍ରୀଙ୍କ ଯାତ୍ରାର ସୁଗମତା ପାଇଁ ନିୟୋଜିତ ଅଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ଦୁଖବନ୍ଧୁ ନାୟକ, ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
Shrutilipi ad