IMG 20260207 WA0236 (1)

 ମେଘାସନୀ ମହୋତ୍ସବ-୨୦୨୬ ଉଦଘାଟିତ 

ରାଜ୍ୟ
  • ସୁଭଦ୍ରା ଯୋଜନାରେ ମା ଭଉଣୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି: ମୁଖ୍ୟ ଅତିଥି
ବାରିପଦା, (୦୭/୦୨): “ମେଘାସନୀ ମହୋତ୍ସବ-୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା  ଉଦଘାଟିତ ହୋଇଅଛି । ସ୍ଥାନୀୟ ଛଉପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ ଉଦଘାଟନୀ ଉତ୍ସବର  ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ  ମମତା ମହାନ୍ତ ଯୋଗ ଦେଇ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଯୋଗୁଁ ମହିଳା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ନିଜ ଅଭିଭାଷଣରେ ମତ ରଖିଛନ୍ତି । ଏହି ଯୋଜନା ଏବେ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ଏହାଯୋଗୁଁ ଆମ ମାଆ ଭଉଣୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ସାଂସଦ ଶ୍ରୀମତୀ ମହାନ୍ତ ମତବ୍ୟକ୍ତ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବାରିପଦା ବିଧାୟକ  ପ୍ରକାଶ ସୋରେନ,  ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ସଭାପତି  ଭାରତୀ ହାଁସଦା, ଜିଲ୍ଲାପାଳ  ହେମକାନ୍ତ ସୟ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ବରୁଣ ଗୁଣ୍ଠୁପାଲୀ, ମୁଖ୍ୟ ଉନ୍ନୟନ ଅଧିକାରୀ  ଧର୍ମାନନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ମଞ୍ଚ ପରିଚାଳନା କରିଥିଲେ । ସଭାରେ ଜିଲ୍ଲାପାଳ ଶ୍ରୀ ସୟ୍ ଏହି ମହୋତ୍ସବ ଦ୍ୱାରା “ଏକ ଜିଲ୍ଲା ଏକ ଉତ୍ପାଦ” କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସୂଚନା ଦେଇଛନ୍ତି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ କରିବା ଏହି ମେଳାର ଉଦ୍ଦେଶ୍ୟ । ଏଥିରେ ସୁଭାଦ୍ର ଶକ୍ତି ସମ୍ପର୍କିତ ଷ୍ଟୋଲ ଗୁଡ଼ିକରେ ମହିଳାମାନେ ଆସି ମହିଳା ଶକ୍ତି ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ ନିଜ ନିଜର ଅନୁଭୂତି  ବଖାଣିବା ସହ ଲକ୍ଷପତି ଦିଦି ଆସି ନିଜର ଅଭିଜ୍ଞତା ବାଣ୍ଟିବେ ବୋଲି ଜିଲ୍ଲାପାଳ ଶ୍ରୀ ସୟ୍ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ ସମାରୋହର ସନ୍ଧ୍ୟାରେ ସାନ୍ତାଳୀ ଗାୟିକା କଳ୍ପନା ହାଁସଦାଙ୍କ ସୁମଧୁର ସଂଗୀତରେ ଦର୍ଶକଗଣ ମତୁଆଲା ହୋଇଛନ୍ତି । ଏହି ଅବସରରେ ବିଧାୟକ ବଡ଼ସାହି  ସନାତନ ବିଜୁଳି ନିଜ ଚିରା ଚରିତ ଢଙ୍ଗରେ ହୃଦୟ ଛୁଆଁ ଓଡ଼ିଆ ସଂଗୀତ ଗାନ କରିଥିଲେ।  କଳା, ସଂଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ଆଜିର ସଂଧ୍ୟାରେ ଦେଖିବାକୁ ମିଳିଛି ।  ସେହିପରି ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗୌତମ ମହାନ୍ତ ଓ ସାଥୀଙ୍କ ଝୁମର ସଙ୍ଗୀତ କାର୍ଯ୍ୟକ୍ରମ, ତୃତୀୟ ଦିନରେ ରାଗା ମିଶ୍ରଣ ସଙ୍ଗୀତ, ଚତୁର୍ଥ ଦିନରେ ସୌରଭ ଭରଦ୍ୱାଜ ଓ ସାଥୀ କଳାକାରଙ୍କ ଭଜନ ସନ୍ଧ୍ୟା, ପଞ୍ଚମ ଦିନରେ ରାଜସ୍ଥାନୀ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଷଷ୍ଠ ଦିନରେ ସ୍ୱଦେଶୀ ପରିଧାନ ପ୍ରଦର୍ଶନ, ସପ୍ତମ ଦିନରେ ଆଞ୍ଚଳିକ ସଂଗୀତ କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ରଞ୍ଜିତ ସୋରେନ, ଜିଲ୍ଲା ସଂସ୍କୃତି ଅଧିକାରୀ  ଶୁଭାଶିଷ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ  ନିହାରିକା ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସୁଭଦ୍ରା ଶକ୍ତି)  ନିରଞ୍ଜନ ପଣ୍ଡା, ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଓରମାସ୍ ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ  ମମତାମୟୀ ବିଶ୍ୱାଳ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିକାଶ ରଞ୍ଜନ ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟକି ଏହି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଓ ସ୍ୱଦେଶୀ ମେଳା ସାତଦିନ ଧରି ଆୟୋଜନ ହେବ । ସ୍ଥାନୀୟ ଉତ୍ପାଦ ଏବଂ ଶିଳ୍ପର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଆୟୋଜନ ହେଉଛି । ଏହାର ମୁଖ୍ୟ ବାର୍ତ୍ତା ହେଉଛି ଆମ ଦେଶ ‘ଆତ୍ମନିର୍ଭରଶୀଳ’ ହେବାସହ ‘ଭୋକାଲ୍ ଫର ଲୋକାଲ୍’ (ସ୍ଥାନୀୟ ପାଇଁ ସ୍ୱର) ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇପାରିବ ।ମେଳାର ମୁଖ୍ୟ ଉଦ୍ଦେଶ୍ ହେଲା
ଆମେ ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି ଆମର ଉତ୍ପାଦକ ଏବଂ କାରିଗରମାନଙ୍କୁ ଉପକୃତ କରିପାରିବା । ସ୍ଵଦେଶୀ ଦ୍ରବ୍ୟର ବ୍ୟବହାର ଆମ ଅର୍ଥନୀତିକୁ ସମୃଦ୍ଧ କରିପାରିବା ସହ ସ୍ଥାନୀୟ ବଜାର ଉପରେ ସମସ୍ତଙ୍କ ନିର୍ଭରଶୀଳତା ପୂରଣ ହୋଇପାରିବ । ଏହାଦ୍ୱାରା ସ୍ଥାନୀୟ ଶିଳ୍ପ ମାଧ୍ୟମରେ ଆମେ ଆମ ଚାହିଦା ପୂରଣ କରିପାରିବା । ଏହି ମେଳା ସ୍ଥାନୀୟ ଉତ୍ପାଦକ ଏବଂ କାରିଗରମାନଙ୍କ ପାଇଁ ଏକ ବଡ଼ ବଜାର ସୁଯୋଗ ସୃଷ୍ଟି କରୁଛି ।
ସୁଭଦ୍ରା ଶକ୍ତି ମେଳାର ଏକମାତ୍ର ଲକ୍ଷ୍ୟ ହେଉଛି ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ସହରୀ ଗ୍ରାହକମାନଙ୍କ ସମ୍ମୁଖକୁ ଆଣିବା । ଏହି ମେଳା ଦ୍ୱାରା ମହିଳାମାନେ ନିଜର ଉତ୍ପାଦକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ।
ଏଥିରେ ସୁଭଦ୍ରା ଶକ୍ତି ମେଳା ଷ୍ଟଲ ୧୫୦ ଟି ଏବଂ ସ୍ୱଦେଶୀ ମେଳା ଷ୍ଟଲ ୧୬୪ ଟି ସ୍ଥାନ ପାଇଛି । ଏହାସ଼ହ ବିଭିନ୍ନ ଥିମ୍ ଷ୍ଟଲ୍, କଳା ଏବଂ ଫଟୋ ଗ୍ୟାଲେରୀ, ଜନଜାତି ସଂଗ୍ରହାଳୟ ଆଦି ଏହି ମହୋତ୍ସବରେ ଉପଲବ୍ଧ  ହୋଇଅଛି।
ଏହି ମେଳାରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ନିଜ ନିଜର ଷ୍ଟଲ୍ ଖୋଲି ଅଂଶଗ୍ରହଣ କରିଛନ୍ତି।
Shrutilipi ad