ବାରିପଦା : ମୟୁରଭଞ୍ଜ ଗସ୍ତର ତୃତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶିମିଳିପାଳର ଗୁଡୁଗୁଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଛନ୍ତି । ସ୍ଥାନୀୟ ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଆଦିବାସୀମାନେ ହୁଳହୁଳି, କରତାଳି ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ସହକାରେ ସ୍ୱାଗତ କରିଥିଲେ । ସଭା ପ୍ରାରମ୍ଭରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥାସଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଷ୍ଟ୍ରପତିଙ୍କ ଶିମିଳିପାଳ ଭିତର ଗୁଡୁଗୁଡ଼ିଆକୁ ଆଗମନ ପାଇଁ ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ମହୋଦୟlଙ୍କ କରକମଳରେ ଭରଚୁଏଲ ମୋଡ଼ ଦ୍ୱାରା ରିମୋଟ ଦବାଇ ଶିମିଳିପାଳ ଅଂଚଳରେ ବିଏସଏନଏଲର 4ଜି ନେଟୱାର୍କ ସେବାର ଲୋକାର୍ପଣ କରିଥିଲେ । ଶିମିଳିପାଳବାସୀ ମଧ୍ୟ ନିରନ୍ତର ଇଣ୍ଟରନେଟ ତଥା ନେଟୱାର୍କ ସେବା ସହ ଯୋଡ଼ି ହେଲେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଏହାରି ମାଧ୍ୟମରେ ହାତମୁଠାରେ ସମସ୍ତ ଖବର ଓ ଇଣ୍ଟରନେଟ ସେବା ଅଞ୍ଚଳବାସୀ ପାଇପାରିବା ସହ ଏହି ଅଞ୍ଚଳର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ଇଣ୍ଟରନେଟ ଦ୍ୱାରା ଅଧିକ ପଢିବାର ସୁଯୋଗ ପାଇବେ ଏବଂ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଶା ବ୍ୟକ୍ତ କରିଛନ୍ତି । ସେହିପରି ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି ଏହାର ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ କରିଛନ୍ତି । ଏହା ସହ ଅଧିକ ବୃକ୍ଷରୋପଣ କରି ଜଙ୍ଗଲ ପରିସର ବୃଦ୍ଧି କରିବାକୁ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି ।
କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପସ୍ଥିତ ଆଦିବାସୀ ମହିଳା ଓ ଯୁବ ବର୍ଗଙ୍କ ସହ ଭାବବିନିମୟ କରିଛନ୍ତି । ବିଶେଷକରି ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ ସମୟରେ ଉଚ୍ଚଶିକ୍ଷା କରିବା ସହିତ ବର୍ତମାନର ପ୍ରତିଯୋଗିତା ମୂଳକ ସମୟରେ ଶିକ୍ଷା ଲାଭପରେ ନିଜର ପ୍ରଚେଷ୍ଟା ଜାରି ରଖି ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଛନ୍ତି । ସଭା ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ହିତାଧିକାରୀଙ୍କୁ କମ୍ବଳ ବଣ୍ଟନ କରିବା ସହ ସେମାନଙ୍କର ନିରାମୟ ଜୀବନ କାମନା କରିଛନ୍ତି ।

