IMG 20260203 WA0223

୫ ଦିନିଆ ନୂତନ ପାଠ୍ୟ ପୁସ୍ତକ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର 

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୫ ଦିନିଆ ନୂତନ ପାଠ୍ୟ ପୁସ୍ତକ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ରାଜେଶ ଷଡ଼ଙ୍ଗୀ ଓ ବି ଆର ସି ସି ତପସ୍ୱିନୀ ଦାଶ ଓଡିଶା ରୂପ ରେଖ – ୨୦୨୫ ଉପରେ ଆଧାରିତ ଏହି ଶିବିରକୁ ଉଦଘାଟନ କରିଥିଲେ I ଏହି ଶିବିରରେ ବାରିପଦା ମୁନିସିପାଲିଟି ଓ ବ୍ଲକ ସ୍ଥିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୧୦୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ I ସାଧନ କର୍ମୀ ଭାବେ ସୌମ୍ୟ ଦାଶ, ସୁବୋଧ ଦାସ, ହରପ୍ରିୟା ପଣ୍ଡା ଓ ରତ୍ନା ବାନାର୍ଜୀ ପ୍ରଶିକ୍ଷଣ ଦେଇଥିଲେ I ଆଗାମୀ ୨୦୨୬ – ୨୭ ଶିକ୍ଷାବର୍ଷରେ ୧ମ ଶ୍ରେଣୀ ଠାରୁ ୮ମ ଶ୍ରେଣୀର ୫୫ ଟି ପୁସ୍ତକ ପରିବର୍ତ୍ତନ ହେବାକୁ ଯାଉଅଛି I ପୂର୍ବରୁ ୬ ଟି ବିଷୟ ଉପରେ ପାଠ ପଢା ଯାଉଥିବା ବେଳେ ଏବେ ୯ ପ୍ରକାର ବିଷୟ ଉପରେ ପାଠ ପଢାଯିବ ବୋଲି ଜଣାପଡିଛି I ଏହି ପାଞ୍ଚ ଦିନ ମଧ୍ୟରେ ଶିକ୍ଷାର୍ଥୀ ମାନଙ୍କୁ ପଞ୍ଚପଦି ଯଥା ଅଧିତି, ବୋଧ, ଅଭ୍ୟାସ, ପ୍ରୟୋଗ ଓ ପ୍ରସାର ଏବଂ ପଞ୍ଚକୋଷ ଅର୍ଥାତ ଅନ୍ନ, ପ୍ରାଣ, ମନ, ବିଜ୍ଞାନ ଓ ଆନନ୍ଦ ଉପରେ ଶିକ୍ଷାଦାନର କୌଶଳ ତାଲିମ ଦିଆଯାଇଛି ବୋଲି ଡାଏଟର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ମହାପାତ୍ର ଜଣାଇଛନ୍ତି I ଏଥି ସହିତ ଜାତୀୟ ଶିକ୍ଷାନୀତି ୨୦୨୦, ଭାରତୀୟ ଜ୍ଞାନ ପରମ୍ପରା, ବିଷୟ ଭିତ୍ତିକ ଭାଷାର ପାଠ ପଢ଼ାଇବା ଶୈଳୀ, ବୃତ୍ତିଗତ, ଶାରୀରିକ ଶିକ୍ଷା ଓ ସ୍ୱଚ୍ଛତା ଉପରେ ମଧ୍ୟ ଶିକ୍ଷାଦାନ କରାଯାଇଥିଲା I ତାଲିମ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠୀ ଶିବିର ପରିଦର୍ଶନ କରିବା ସହ ବିଦ୍ୟାଳୟରେ ଶିଶୁ କୈନ୍ଦ୍ରିକ ଶିକ୍ଷା ଦାନ ପଦ୍ଧତିର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ I ଏହି ନୂତନ ଶିକ୍ଷାନୀତି ୨୦୨୫ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଆଗାମୀ ଯୁବପିଢ଼ିକୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ବୋଲି ଶିକ୍ଷାବିତ ମାନେ ଆଶାପୋଷଣ କରିଛନ୍ତି I
Shrutilipi ad