IMG 20260128 WA0155

ମାକୁନ୍ଦା ଓ ଛାତନା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଲେ ମନ୍ତ୍ରୀ

ରାଜ୍ୟ
ବାରିପଦା: ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ଜନ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଓ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଯୋଗ ଦେଇଥିଲେ।
ଉକ୍ତ ଅଭିଯୋଗ ଶୁଣାଣି ବୈଠକରେ ଭେନକୋ ରିସର୍ଚ୍ଚ ଏଣ୍ଡ ବ୍ରିଡିଙ୍ଗ ଫାର୍ମ ର ହେଚେରୀରେ ହେଉଥିବା ବେନିୟମ କାର୍ଯ୍ୟ ବିରୁଦ୍ଧରେ ମୋରଡା ବ୍ଲକର ମାକୁନ୍ଦା ଓ ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ଅଭିଯୋଗ ମନ୍ତ୍ରଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଏବଂ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। କମ୍ପାନୀ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ମଧ୍ୟରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି, ରାସାୟନିକ ଦ୍ରବ୍ୟ ପ୍ରୟୋଗ ଦ୍ୱାରା ଅଂଚଳରେ ରାସାୟନିକ ନିଷ୍କରଣ ହେତୁ  ବିଭିନ୍ନ ରୋଗର ଆଶଙ୍କା,ବେଆଇନ ଭାବେ ସରକାରୀ ଜମି ଜବରଦଖଲ, ଘରବାଡି କିସମ ନଥାଇ ଷ୍ଟାଫ କ୍ୱାର୍ଟର ନିର୍ମାଣ, ବିନା ଅନୁମତିରେ ଭୁତଳ ଜଳର ବ୍ୟାପକ ଅପବ୍ୟବହାର, କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ ନିୟମ ଅନୁଯାୟୀ ଦରମା ପ୍ରଦାନ ନକରିବା, ବିଭିନ୍ନ ଯନ୍ତ୍ରପାତି ଚାଲିବା ପାଇଁ ବେଆଇନ ଭାବେ ଧାର୍ଯ୍ୟ ଠାରୁ ଅଧିକ ବିଦ୍ୟୁତ ବ୍ୟବହାର କରିବା, କର୍ମଚାରୀ ନିଯୁକ୍ତିରେ ବ୍ୟାପକ ହେରଫେର, ପ୍ରାଇଭେଟ କମ୍ପାନୀ ହେଲେ ମଧ୍ୟ ଏହର ସି ଏସ ଆର ଫଣ୍ଡ ଆଖପାଖ ଅଂଚଳର ଉନ୍ନତି ପାଇଁ ବିନିଯୋଗ ନହେବା, ଅଂଚଳର ଲୋକମାନଙ୍କୁ କୁକୁଡ଼ା ଚିଆଁ ତଥା କୁକୁଡ଼ା ବିକ୍ରି ନକରିବା ଓ କମ୍ପାନୀ ପାଇଁ ଜମି ଦେଇଥିବା ଲୋକ ମାନଙ୍କ ପରିବାର ବର୍ଗଙ୍କୁ କୌଣସି ନିଯୁକ୍ତି ନଦେବା ଇତ୍ୟାଦି ରହିଥିଲା।
ଗ୍ରାମବାସୀ, କମ୍ପାନୀ କର୍ମକର୍ତ୍ତା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ମନ୍ତ୍ରୀ ଉପରୋକ୍ତ ଅଭିଯୋଗ ଗୁଡିକର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ କମ୍ପାନୀ କାର୍ଯ୍ୟକ୍ଷମରେ ଯେଉଁ ଯେଉଁ ବିଭାଗ ସଂଯୁକ୍ତ ରହିଛି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ଖୁବ ଶୀଘ୍ର ମିଳିତ ତଦନ୍ତ କରାଯିବ। ତଦନ୍ତ ପରେ କମ୍ପାନୀ ପକ୍ଷରୁ ଯଦି କୌଣସି ତ୍ରୁଟି ହୋଇଥିବାର ପରିଲକ୍ଷିତ ହୁଏ ବା ପ୍ରମାଣିତ ହୁଏ ତେବେ  ସମ୍ପୃକ୍ତ ବିଭାଗର ନିୟମ ଅନୁଯାୟୀ କମ୍ପାନୀ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁଷ୍ଠିତ ବୈଠକରେ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Shrutilipi ad