ବାରିପଦା : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଗତକାଲି କୁଳପତି ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର, ରାଇରଙ୍ଗପୁରକୁ ଆଧିକାରିକ ପରିଦର୍ଶନ କରିଥିଲେ। କୁଳପତିଙ୍କ ଦ୍ୱାରା ଏହି ପରିଦର୍ଶନ ଓ ଆଲୋଚନା ଏହି ଅଞ୍ଚଳରେ ମୁକ୍ତ ଓ ଦୂରଶିକ୍ଷା ସହିତ କୌଶଳ ଉନ୍ନୟନ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ପରିଗଣିତ ହେବ। କୁଳପତି ପ୍ରଫେସର ଉମା କାଞ୍ଜିଲାଲଙ୍କ ସହ ଡାଇରେକ୍ଟର, ସ୍ପେସିଆଲ୍ ପ୍ରୋଜେକ୍ଟ, ଇଗ୍ନୋ ପ୍ରଫେସର ନୟନତାରା ପାଢ଼ୀ, କନଫେଡେରେସନ ଅଫ ଇଣ୍ଡିଆ ଇଣ୍ଡଷ୍ଟ୍ରିଜର ଆଶିଷ କୁମାର, ଇଗ୍ନୋଉ ଆଞ୍ଚଳିକ କେନ୍ଦ୍ର, ରାଇରଙ୍ଗପୁରର ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଡ଼ଃ ମନୋଜ କୁମାର ଦାସ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।
ଆଲୋଚନା ସମୟରେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ, ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ର ଶିକ୍ଷାତ୍ମକ, ପ୍ରଶାସନିକ ଏବଂ ଢାଞ୍ଚାଗତ ବ୍ୟବସ୍ଥାଗୁଡ଼ି ଜରିଆରେ ଅଂଚଳର ଗ୍ରାମୀଣ, ଜନଜାତି ଓ ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ପହଞ୍ଚାଇବାରେ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ମତ ପ୍ରକାଶ କରିଥିଲେ। ଏହା ଇଗ୍ନୋର ସମାବେଶୀ ଶିକ୍ଷା ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ସମନ୍ୱୟ ରଖେ।
ଏହି ଅବସରରେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁସାରେ କୌଶଳମୁଖୀ ଓ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରଚାରରେ କୌଶଳ କେନ୍ଦ୍ର ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅଧିକ ଶିଳ୍ପ-ସମ୍ପର୍କିତ ସର୍ଟିଫିକେଟ୍ ଓ ଡିପ୍ଲୋମା କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସ୍ଥାନୀୟ ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରୀ ବିଭାଗମାନଙ୍କ ସହ ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।
ଶିକ୍ଷା, କୌଶଳ ଉନ୍ନୟନ, ଯୁବ ଓ ମହିଳା ସଶକ୍ତିକରଣ ଏବଂ ସରକାରୀ କର୍ମଚାରୀଙ୍କ କ୍ଷମତା ବୃଦ୍ଧି କ୍ଷେତ୍ରରେ ଇଗ୍ନୋ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସହଯୋଗ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା।
ଅଂଚଳର ବର୍ତମାନ ଓ ଭବିଷ୍ୟତର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଶିକ୍ଷା ଜରିଆରେ ଜିଲ୍ଲାର ବିକାଶ କରିବା ନିମନ୍ତେ ବିଭିନ୍ନ ପ୍ରକାର ସମ୍ୱନ୍ୱିତ ପାଠ୍ୟକ୍ରମ ପ୍ରସ୍ତୁତ ସହିତ ତାଲିମ ଜରିଆରେ ଦକ୍ଷତା ବିକାଶ କରାଯିବ ଯଦ୍ୱାରା ଭବିଷ୍ୟତ ରେ ଶିକ୍ଷାର୍ଥୀମାନଙ୍କ ପାଇଁ ନିଜ ଅଂଚଳରେ ଶିଳ୍ପ ଭିତ୍ତିକ ନିଯୁକ୍ତି ପାଇଁ ପଥ ସୁଗମ ହେବ ବୋଲି କହିଥିଲେ।
ଜିଲ୍ଲାପାଳ ଇଗ୍ନୋର ସମସ୍ତ କାର୍ଯ୍ୟକଳାପ ଓ ପ୍ରୟାସ ପାଇଁ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୁଳପତିଙ୍କ ଏହି ପରିଦର୍ଶନ “ସମସ୍ତଙ୍କ ପାଇଁ ଶିକ୍ଷା” ଲକ୍ଷ୍ୟ ପ୍ରତି ଇଗ୍ନୋଉ ଅଙ୍ଗୀକାରକୁ ପୁନଃ ସ୍ଥାପିତ କରିବ ଏବଂ ଏହା ମୟୂରଭଞ୍ଜ ଅଞ୍ଚଳରେ ଶିକ୍ଷା ଓ କୌଶଳ ଉନ୍ନୟନ କାର୍ଯ୍ୟକଳାପକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି।
ଅନୁଷ୍ଠିତ ବୈଠକ ରେ ଉପଜିଲ୍ଲାପାଳ ରାଇରଙ୍ଗପୁର ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ, ବାରିପଦା ବନଖଣ୍ଡ ଅଧିକାରୀ, ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଏମ ପି ସି ମହାବିଦ୍ୟାଳୟ ର ଅଧ୍ୟକ୍ଷ,ଏମ ଏସ ସି ଵି ବିଶ୍ୱବିଦ୍ୟାଳୟର ସଚିବ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

