ବାରିପଦା: ବାରିପଦାରେ ରବିବାର ଦିନ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲାସ୍ତରୀୟ କଳା ପ୍ରଦର୍ଶନୀ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଏବଂ ବାରିପଦା ମ୍ୟୁନିସିପାଲଟିଙ୍କ ମିଳିତ ଆନୁକୂଲ୍ୟରେ ଉତ୍ସବରେ ସ୍ଥାନୀୟ ଶିଶୁ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଥିଲା। ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪ଟି ଗ୍ରୁପ୍ରେ ବିଭକ୍ତ ହୋଇ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚଳିତ ବର୍ଷର ଥିମ୍ ଥିଲା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ପ୍ରସିଦ୍ଧ ମନ୍ଦିର ଗୁଡ଼ିକର ଚିତ୍ରାଙ୍କନ। ଶିଶୁ ଉଦ୍ୟାନରେ ସକାଳ ୧୦ଟାରୁ ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୫୦ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମେଡାଲ୍ ଦେଇ ପୁରସ୍କୃତ କରାଯାଇଥିଲା।
ସଂଧ୍ୟା ପ୍ରାୟ ୬ଟାରେ ବାରିପଦା ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପରେ ଏକ ବିଶେଷ ପୁରସ୍କାର ବିତରଣ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡିଭାଇନ ଡିପ୍ଲମା କଲେଜର ଡିନ୍ ଡ଼ ରଂଜିତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ଏବଂ କ୍ରିଏଟିଭ ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ପ୍ରିନ୍ସିପାଲ୍ ରବୀନ୍ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ କଳା ଏକାଡେମୀର ପ୍ରିନ୍ସିପାଲ୍ ଶୁଭସ୍ମିତା ଭାରତୀ ହୋତା ଏବଂ ଟ୍ରଷ୍ଟି ରାକେଶ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ସମସ୍ତ ଚିତ୍ରକଳାଗୁଡ଼ିକୁ ଡିସପ୍ଲେ କରାଯାଇ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଶ୍ରୀ ଜଗନ୍ନାଥ କଳା ଏକାଡେମୀ ୫ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ କଳା ଶିକ୍ଷା ଦେଇ ଆସୁଥିବା ବେଳେ ଏହି ପ୍ରଦର୍ଶନୀ ଏହାର ଏକ ଉଜ୍ଜ୍ୱଳ ପ୍ରତିଫଳନ ହୋଇଛି।
କଳା ଶିକ୍ଷକ ଚିରଞ୍ଜୀବ ସାହୁ, ପ୍ରକାଶିନୀ ସାହୁ, ମାମୁନି ଧଳ,
ନୃତ୍ୟ ଗୁରୁ ତପନ କୁମାର ବେହେରା, ସୁଜିତ କୁମାର ଧଳ, ସାଇରା ପ୍ରଧାନ, ଯୋଗ ଗୁରୁ ଚନ୍ଦନ ମିଶ୍ର ଓ ସଞ୍ଚାଳକ ହରେନ୍ଦ୍ର ମହାନ୍ତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହାବ୍ୟତୀତ ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ, ଅଙ୍କୁର ଖୁରାନା, ପବିତ୍ର ମୋହନ ପାଢ଼ୀ, ଦେବାଶିଷ ନାୟକ, ସୁକୁଲ ସୋରେନ ଏବଂ ଏନଏସଏସ୍ ସ୍ବେଚ୍ଛାସେବୀ ଗଣ ଉପସ୍ଥିତି ରହିବା ସହିତ ସହଯୋଗ କରିଥିଲେ।
ଏହି ପ୍ରଦର୍ଶନୀ ମୟୂରଭଞ୍ଜର କଳା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ନୂଆ ପିଢ଼ିଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ଘଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବାରିପଦାର କଳା ପ୍ରେମୀମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିବସ ହୋଇ ରହିଛି।

