G

ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ୪୯ତମ ଅଧିବେଶନ: ଫେବୃଆରୀ ୮ରେ ପାଳିତ ହେବ ତୃତୀୟ ବାର୍ଷିକ ଉତ୍ସବ

ରାଜ୍ୟ

ସାଲେପୁର  : ସାଲେପୁର ଅଞ୍ଚଳରେ ବିଜ୍ଞାନର ପ୍ରସାର ଓ ବୈଜ୍ଞାନିକ ମନୋବୃତ୍ତିର ଜାଗରଣ ପାଇଁ କାର୍ଯ୍ୟରତ ‘ବିଜ୍ଞାନ ପ୍ରଚାର ସମିତି’ ସାଲେପୁର ଶାଖାର ୪୯ତମ ମାସିକ ଅଧିବେଶନ ସ୍ଥାନୀୟ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମିତିର ଆଗାମୀ କାର୍ଯ୍ୟପନ୍ଥା ଓ ବାର୍ଷିକ ଉତ୍ସବ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।

ନୂତନ କର୍ମକର୍ତ୍ତା ଚୟନ:
ଅଧିବେଶନର ପ୍ରାରମ୍ଭରେ ଡ. ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ଆବାହକତ୍ୱରେ ସମିତିର କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମକର୍ତ୍ତାମାନଙ୍କୁ ପୁନଃ ଚୟନ କରାଯାଇଥିଲା। ମେଜର ମଞ୍ଜୁଶ୍ରୀ ପତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବିପିନ ବିହାରୀ କର ଉପସଭାପତି, ମହେଶ ଚନ୍ଦ୍ର କର ସମ୍ପାଦକ, ଇଂ. ହରିହର ତ୍ରିପାଠୀ ବାର୍ତ୍ତା ସମ୍ପାଦକ ଏବଂ ପୁରସ୍ତମ ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଶାରଦା ପ୍ରସାଦ ରଥଙ୍କୁ ଜୈବିକ ଉପଦେଷ୍ଟା ଏବଂ ପୂର୍ଣ୍ଣଚନ୍ଦ୍ର ଓଝା, ପ୍ରଭାତ କିଶୋର ନାୟକ ଓ ଉମେଶ ଚନ୍ଦ୍ର ପତିଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସାମିଲ କରାଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତିଙ୍କୁ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଆଗାମୀ ବାର୍ଷିକ ଉତ୍ସବ ଓ ପ୍ରତିଭା ପୂଜନ:
ଆସନ୍ତା ଫେବୃଆରୀ ୮ ତାରିଖରେ ସମିତିର ତୃତୀୟ ବାର୍ଷିକ ଉତ୍ସବ ତଥା ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏହି ଉତ୍ସବରେ ଗଣଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଏବଂ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶରତ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ।

ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନ:
ଏହି ଅବସରରେ ଯୁବ ମତ୍ସ୍ୟ ବିଜ୍ଞାନୀ ଡକ୍ଟର ହିମାଂଶୁ ସ୍ୱାଇଁଙ୍କୁ ‘ଗଜେନ୍ଦ୍ର ନାଥ ମିତ୍ର ସ୍ମାରକୀ’ ପୁରସ୍କାର ଏବଂ ପ୍ରତିଷ୍ଠିତ ଉଦ୍ଭିଦ ବିଜ୍ଞାନୀ କ୍ଷୀରୋଦ କୁମାର ଜେନାଙ୍କୁ ‘ନଳିନାକ୍ଷ ଦାଶ ସ୍ମାରକୀ’ ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ‘ଶିଶୁର ବିକାଶ’ ନାମକ ଏକ ପୁସ୍ତକ ଉନ୍ମୋଚନ ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବାର ଯୋଜନା ରହିଛି।

ଆକର୍ଷଣୀୟ ଜୈବିକ ପ୍ରଦର୍ଶନୀ:
ବାର୍ଷିକ ଉତ୍ସବର ଅନ୍ୟତମ ଆକର୍ଷଣ ସାଜିବ ଶାରଦା ପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଜୈବିକ ପ୍ରଦର୍ଶନୀ। ଏଥିରେ କଳା ଚାଉଳ, ଗୋନାଇଲ, ଜିଆ ଖତ ଏବଂ ଗୋବରରେ ପ୍ରସ୍ତୁତ ଦୀପ ଭଳି ବିଭିନ୍ନ ପ୍ରାକୃତିକ ସାମଗ୍ରୀ ପ୍ରଦର୍ଶିତ ହେବ।

ଅଧିବେଶନର ଶେଷ ଭାଗରେ ମହାନ୍ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୀବନୀ ଓ ‘ସିଦ୍ଧାନ୍ତ ଦର୍ପଣ’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶେଷରେ ସମ୍ପାଦକ ମହେଶ ଚନ୍ଦ୍ର କର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Shrutilipi ad