- ବାଲ୍ୟ ବିବାହ ନିବାରଣ ପାଇଁ ମୟୂରଭଞ୍ଜ ପାଇଲଟ୍ ଜିଲ୍ଲା
ବାରିପଦା : ଅଙ୍ଗନୱାଡ଼ିରେ ଶିଶୁମାନଙ୍କୁ ୨୧ଟି ଜନଜାତୀୟ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ ପାଇଁ “ଆମେ ପଢିବା ଆମ ଭାଷାରେ” ଯୋଜନାକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟ ବ୍ୟାପୀ ୧୦୦ ଦିନିଆ ଅଭିଯାନ ଓ କିଶୋରୀ ଗର୍ଭ ଧାରଣ ରୋକିବା ପଦକ୍ଷେପକୁ ଶୁଭାରମ୍ଭ କରିଛନ୍ତି। ଏହାର କାର୍ଯ୍ୟକାରିତା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ପାଇଲଟ ଜିଲ୍ଲା ଭାବେ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ୧୦୦-ଦିନିଆ ରାଜ୍ୟସ୍ତରୀୟ ଯେଉଁ ଅଭିଯାନ ଆରମ୍ଭ କରାଯାଇଛି ସେହି ଅଭିଯାନରେ ସମୁଦାୟ, ଯୁବ ନେତୃତ୍ୱ, ଆଶା, ଅଙ୍ଗନୱାଡି କର୍ମୀ ଓ ସଂସ୍ଥାଗତ ମଞ୍ଚଗୁଡ଼ିକର ସକ୍ରିୟ ସଂପୃକ୍ତି ମାଧ୍ୟମରେ କନ୍ୟା ଶିକ୍ଷା, ସଚେତନତା ଓ ସୁରକ୍ଷାକୁ ମଜବୁତ କରାଯିବ । ସାଇକେଲ ରାଲି, ଯୁବ ସମ୍ମିଳନୀ, ମାନବ ଶୃଙ୍ଖଳ, ସ୍କୁଲ୍-କଲେଜ ଭିତ୍ତିକ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଡିଜିଟାଲ ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ସଫଳ କରାଇବା ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଗୁରୁତ୍ଵ ଦେଇଥିବା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସୟ୍ ମତବ୍ୟକ୍ତ କରିଛନ୍ତି । ଏହାସହ ମୟୂରଭଞ୍ଜ ଜିଲ୍ଲାରେ ୟୁନିସେଫ ସହଯୋଗରେ କିଶୋରୀ ମାଆ ସହାୟତା ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ସାମାଜିକ ସୁରକ୍ଷା, ପୁନଃ ଶିକ୍ଷା ଓ କୌଶଳ ମାର୍ଗ ସହ ସମନ୍ୱିତ ସହାୟତା ପ୍ରଦାନ କରାଯିବ । ଏହି ପ୍ରକଳ୍ପ ଭବିଷ୍ୟତରେ ରାଜ୍ୟସ୍ତରୀୟ ମଡେଲ୍ ଭାବେ କାମ କରିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ୍ ସୂଚନା ଦେଇଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ୍ କହିଛନ୍ତି, ଏହାର ସଫଳ ରୂପାୟନ ପାଇଁ ମୁଖ୍ୟତଃ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବା ପାଇଁ ପଡିବ । ପ୍ରଥମରେ ସମସ୍ତ ପ୍ରକାର ସାଧନକୁ ଉପଯୋଗ କରି ବାଲ୍ୟ ବିବାହକୁ ରୋକିବା ସହ କିଶୋରୀ ଗର୍ଭଧାରଣ କୁ ରୋକିବା ଦିଗରେ ପଦକ୍ଷେପ ନେବା ଏବଂ ଦ୍ଵିତୀୟରେ ଯଦି କୌଣସି କାରଣରୁ କିଶୋରୀ ଗର୍ଭଧାରଣ ପରିସ୍ଥିତି ଉପୁଜିଛି ତେବେ ତାଙ୍କୁ ସବୁ ପ୍ରକାର ପରାମର୍ଶ, ସହାୟତା ଯୋଗାଇ ସଶକ୍ତ କରିବା । ସେଇଭଳି ଯୁବ ମା ମାନଙ୍କ ମାନସିକ ଓ ମନସ୍ତତ୍ତ୍ୱିକ ସ୍ୱାସ୍ଥ୍ୟ ପରୀକ୍ଷା, ଉପଯୁକ୍ତ ଶିକ୍ଷା ଦାନ ଦ୍ୱାରା ଦକ୍ଷତା ବିକାଶ କରି ସ୍ଥାୟୀ ଜୀବିକା ବ୍ୟବସ୍ଥା ତଥା ସାମାଜିକ ସୁରକ୍ଷା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା । ଏହାର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମନ୍ୱୟର ଆବଶ୍ୟକତା ରହିଛି । ତେଣୁ ଜିଲ୍ଲାରେ ଏହି ଅଭିଯାନ କୁ ସଫଳ କରିବା ପାଇଁ ନିଜ ନିଜ ଦାୟିତ୍ୱ କୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ବୈଠକ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି, ସୁରକ୍ଷା ଓ କାର୍ଯ୍ୟକ୍ରମ ଅଧିକାରିଣୀ ସସ୍ମିତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ମିଶନ ଶକ୍ତି ଡି ପି ଏମ ନିରଞ୍ଜନ ପଣ୍ଡା, ଡି ପି ସି ପ୍ରଦ୍ୟୁମ୍ନ ଘୋଷ ସମେତ ୟୁନିସେଫ ର ନେହା ସିଂ ଓ ଘାସିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

