ବାରିପଦା: ହସ୍ତତନ୍ତର ପ୍ରଚାର ଓ ପ୍ରସାର ପାଇଁ ବାରିପଦା ଛଉ ପଡ଼ିଆ ଠାରେ ବୟନିକା ପକ୍ଷରୁ ହସ୍ତତନ୍ତ ଉନ୍ନୟନ ଆୟୋଗ, ବସ୍ତ୍ର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ରାଜ୍ୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି । ଏହି ମେଳା ୧୨.୦୧.୨୦୨୬ ରିଖଠାରୁ ୨୩/୦୧/୨୦୨୬ ରିଖ ପଯ୍ୟନ୍ତ ଚାଲିବାକୁ ଥିବାବେଳେ ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବୁଣାକାରମାନଙ୍କ ଦ୍ଵାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତତନ୍ତ ଉତ୍ପାଦ ପ୍ରଦର୍ଶିତ ହେବା ସହିତ ସ୍ଵତନ୍ତ୍ର ରିହାତିରେ ବିକ୍ରି ହେଉଛି । ମୟୂରଭଞ୍ଜରେ ଜାନୁଆରୀ ମାସ ଏକ ପାର୍ବଣ ମାସ ଭାବେ ପରିଚିତ ଥିବାରୁ ତଥା ମକର ପର୍ବ ଥିବାରୁ ବୁଣାକାର ମାନେ ଭଲ ବେପାର ହେବାର ଆଶା ରଖିଛନ୍ତି । ଆଜିର ପ୍ରଥମ ଦିନରେ ମଧ୍ୟ ସ୍ଥାନୀୟ ଜନତା ପାଟରେ ପ୍ରସ୍ତୁତ ସ୍ଵତନ୍ତ୍ର ଡିଜାଇନର ପୋଷାକକୁ କିଣିବାକୁ ବେଶ୍ ଆଗ୍ରହ ଦେଖାଇଛନ୍ତି । ଏହି ମେଳାର ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଓଏସଡି ବୟନିକା ପ୍ରଶାନ୍ତ କୁମାର ରଥ, ବୟନିକା ଇଂଜିନିୟରିଂ ବିଭାଗ ଅଧିକାରୀ ବିଭୂ କଲ୍ୟାଣ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଯୋଗ ଦେଇଥିଲେ ।

