ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି ରାଜ୍ୟରେ ୭୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ।
ଆଜି ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ମିଜୋରାମର ଆଇଜଲରେ ୩ଟି ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ଯାହା ପ୍ରଥମ ଥର ପାଇଁ ମିଜୋରାମକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିଛି । ମିଜୋରାମରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି ମିଜୋରାମର ରାଜଧାନୀ ଆଇଜଲରେ ରେଳ ସଂଯୋଗ ହୋଇଛି। ବୈରାବି-ସାଇରାଙ୍ଗ ରେଳପଥ ନିର୍ମାଣ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରକଳ୍ପ ଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ହୋଇଥିଲା। ଏହି ରେଳପଥରେ ୪୫ ଟି ସୁଡ଼ଙ୍ଗ ଏବଂ ୫୫ ଟି ବଡ଼ ସେତୁ ଅଛି। ଗୋଟିଏ ସେତୁ ଦିଲ୍ଲୀର କୁତୁବ ମୀନାରଠାରୁ ଉଚ୍ଚ। ଏହି ଲାଇନ ଏବେ ମିଜୋରାମକୁ ଗୌହାଟି, କୋଲକାତା, ଦିଲ୍ଲୀ ଏବଂ ଅନ୍ୟାନ୍ୟ ଅନେକ ସହର ସହିତ ସଂଯୋଗ କରିବ। ଆଜି ପ୍ରଧାନମନ୍ତ୍ରୀ ମୋଦି ୩ଟି ନୂତନ ଟ୍ରେନ ମଧ୍ୟ ଶୁଭାରମ୍ଭ କରିଥିଲେ। ପ୍ରଥମଟି ନୂଆଦିଲ୍ଲୀ ପାଇଁ ରାଜଧାନୀ ଏକ୍ସପ୍ରେସ ଥିଲା। ଦ୍ୱିତୀୟଟି ଗୌହାଟି ପାଇଁ ମିଜୋରାମ ଏକ୍ସପ୍ରେସ ଥିଲା। ତୃତୀୟଟି କୋଲକାତା ପାଇଁ କୋଲକାତା-ମିଜୋରାମ ଏକ୍ସପ୍ରେସ ଥିଲା।
ତେବେ ମୋଦିଙ୍କ ଏହି ୫ ରାଜ୍ୟ ଗସ୍ତ ମଧ୍ୟରେ ସବୁଠୁ ବେଶୀ ଗୁରୁତ୍ବପୂର୍ଣ୍ଣ ହେଉଛି ମଣିପୁର ରାଜ୍ୟ ଗସ୍ତ । କାରଣ ସେ ୨ ବର୍ଷ ପରେ ପ୍ରଥମ ଥର ପାଇଁ ମଣିପୁର ଯାଉଛନ୍ତି । ୨୦୨୩ ମସିହାରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ପରେ ମଣିପୁରରେ ଦଙ୍ଗା ବ୍ୟାପିଥିଲା। ଅନେକ ଲୋକ ହିଂସାର ଶିକାର ହୋଇଥିଲେ ଏବଂ ଏବେ ସେଠି ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ବିରୋଧୀ ଦଳ କଂଗ୍ରେସ ଲଗାତାର ତାଙ୍କ ମଣିପୁର ଗସ୍ତ ଦାବି କରିଆସୁଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ରୁ ୨୦୨୨ ମଧ୍ୟରେ ୭ ଥର ମଣିପୁର ଗସ୍ତ କରିଛନ୍ତି। ଏବେ ସେ ୮ମ ଥର ପାଇଁ ମଣିପୁର ଆସୁଛନ୍ତି ଏବଂ ଦଙ୍ଗା ଅଧିକ ବ୍ୟାପିଥିବା ସ୍ଥାନକୁ ଯିବେ।

