Thumbs b c 0c9ce2c2a9fdd5271c449e77beee3eb6

ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୨ ମୃତ

ଦେଶ - ବିଦେଶ

ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ ଯୋଗୁ ୩୨ ଜଣଙ୍କ ଜୀବନ ଗଲାଣି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମିଜୋରାମ ଓ ମେଘାଳୟ ଭଳି ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି। ଏଥିରେ ୧୨ ହଜାରରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଗତ ତିନିି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷାରେ ଶତାଧିକ ବାସଗୃହ ନିଶ୍ଚିହ୍ନ ହୋଇଥିବାବେଳେ ରାସ୍ତାଘାଟ ଭୁଶୁଡି ପଡିଛି। ବିରାଟକାୟ ଗଛ ଉପୁଡି କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଏହି ରାଜ୍ୟଗୁଡିକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ଶୁକ୍ରବାର ଅରୁଣାଚଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆସମରେ ୫. ତ୍ରିପୁରାରେ ୪, ମଣିପୁରରେ ୩, ମିଜୋରାମ ଓ ମେଘାଳୟରେ ପ୍ରତ୍ୟେକ ୨ ଜଣ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ ସମେତ ସେନା, ଏନଡିଆରଏଫ୍‌ ଓ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଏହି ରାଜ୍ୟଗୁଡିକର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଆସାମର ଗୁଆହାଟୀ ଓ ସିଲଚରରେ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଅରୁଣାଚଳ, ମଣିପୁର, ତ୍ରିପୁରା ଓ ମିଜୋରାମରେ ସ୍ଥିତି ଅନୁରୂପ ଭାବେ ଉଦ୍‌ବେଗଜନକ ରହିଛି। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତ୍ରିପୁରାରେ ୨୦୦ ଲୋକ ବାସଚ୍ୟୁତ ହୋଇଥିବାବେଳେ ମଣିପୁରରେ ବିଭିନ୍ନ ନଦୀର ଜଳପତନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ପରିପ୍ରେକ୍ଷୀରେ ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Shrutilipi ad