Monday, March 16, 2026
16bbs 43 16032026 112 2026 03 16 19 51

୯୦%କୁ ବୃଦ୍ଧି ପାଇଛି ଅନଲାଇନ୍‌ ଗ୍ୟାସ୍‌ ବୁକିଂ, ଓଟିପି ଜରିଆରେ ୭୨% ଡେଲିଭରି

ଦେଶ - ବିଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍‌ପିଜି ଯୋଗାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ଗତ କିଛିଦିନ ହେଲା ଭାରତରେ ଏଲ୍‌ପିଜି ବ୍ୟବହାରକାରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ସରକାର ଏଲ୍‌ପିଜି ଉପଭୋକ୍ତାଙ୍କୁ ଗ୍ୟାସ ଏଜେନ୍ସିଗୁଡ଼ିକୁ ନଯାଇ ଅନଲାଇନ୍‌ରେ ବୁକିଂ କରିବାକୁ ପରାମର୍ଶ ଦେଇଥିଲେ। ଫଳସ୍ବରୂପ ଅନଲାଇନ୍‌ରେ ଗ୍ୟାସ ବୁକିଂ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି।ସେ କହିଛନ୍ତି, ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତିରେ ଏଲ୍‌ପିଜି ସଂକଟ ସରକାରଙ୍କ ପାଇଁ ଚିନ୍ତାଜନକ ରହିଛି। ଏହା ସତ୍ତ୍ବେ ଘରୋଇ ଏଲ୍‌ପିଜି ଗ୍ରାହକମାନେ ଗ୍ୟାସ୍‌ ପାଉଛନ୍ତି ଏବଂ କୌଣସି ଏଜେନ୍ସିରେ ଗ୍ୟାସ୍‌ ସଂପୂର୍ଣ୍ଣ ଖାଲି ହୋଇଯାଇ ନାହିଁ। ଯେଉଁସବୁ ଉତ୍ସରୁ ସମ୍ଭବ ସେଠାରୁ ଏଲ୍‌ପିଜି ଆଣିବା ଏବଂ ଘରୋଇ ଯୋଗାଣକୁ ବଢ଼ାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଭାରତରେ ଯଥେଷ୍ଟ ମାତ୍ରାରେ ଅଶୋଧିତ ତେଲ ରହିଛି। ବିଶୋଧାନାଗାରଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲିଛି। ଆବଶ୍ୟକତା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହେଉଛି। ତେଣୁ ଆମଦାନି କରିବାର କୌଣସି ଆବଶ୍ୟକତା ନାହିଁ।

ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌) ବିଭିନ୍ନ ସିଟି ଗ୍ୟାସ୍‌ ବଣ୍ଟନକାରୀ (ସିଜିଡି)ଙ୍କ ସହିତ ଏକ ବୈଠକ କରି ଯେଉଁ ସବୁ ଅଞ୍ଚଳରେ ପିଏନ୍‌ଜି (ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ) ସୁବିଧା ରହିଛି ସେଠାରେ ସଂଯୋଗକୁ ତ୍ବରାନ୍ବିତ କରିବାକୁ କହିଛି। ଏଥିସହ ଏଲ୍‌ପିଜି ସିଲିଣ୍ଡର ଡେଲିଭରି ଅଥେଣ୍ଟିକେସନ୍‌ କୋଡ୍‌ ବା ଓଟିପି ମାଧ୍ୟମରେ କରାଯାଉଛି। ୨୦୨୬ ଫେବ୍ରୁଆରିରେ ଏହା ୫୩ ପ୍ରତିଶତ ଥିଲା। ମାର୍ଚ୍ଚ ୧୫ରେ ଏହା ୭୨ ପ୍ରତିଶତକୁ ବୃଦ୍ଧି ପାଇଛି। କଳାବଜାରୀକୁ ରୋକିବା ପାଇଁ ମାର୍ଚ୍ଚ ୧୫ ତାରିଖରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନିର ଅଧିକାରୀମାନେ ଦେଶର ୧୧୦୦ରୁ ଅଧିକ ଏଲ୍‌ପିଜି ବିତରଣ ସ୍ଥାନ ଓ ରିଟେଲ୍‌ ଆଉଟଲେଟ୍‌ରେ ଅଚାନକ ଯାଞ୍ଚ କରିଛନ୍ତି। ସରକାର ଦେଶରେ ସିଏନ୍‌ଜି ଓ ପିଏନ୍‌ଜି ‌ଗ୍ରାହକଙ୍କ ପାଇଁ ଯୋଗାଣକୁ ପୂର୍ଣ୍ଣ ମାତ୍ରାରେ ବଜାୟ ରଖିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ପିଏନ୍‌ଜି ସଂଯୋଗ ପାଇଁ କେତେକ କମ୍ପାନି ପ୍ରୋତ୍ସାହନ ଦେଉଛନ୍ତି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ କହିଛି ଯେ ଯଦି ଜଣେ ଡୋମେଷ୍ଟିକ ଗ୍ରାହକ ମାର୍ଚ୍ଚ ୩୧ ପୂର୍ବରୁ ପିଏନ୍‌ଜି ସଂଯୋଗ ନେଇ ଗ୍ୟାସ କିଣିବା ଆରମ୍ଭ କରନ୍ତି ତାହେଲେ ତାଙ୍କୁ ୫୦୦ ଟଙ୍କାର ମାଗଣା ଗ୍ୟାସ୍‌ ପ୍ରଦାନ କରାଯିବ। ସେହିଭଳି ଗେଲ୍‌ ଏବଂ ବିପିସିଏଲ୍‌ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ପୂର୍ବରୁ କେତେକ କ୍ଷେତ୍ର ଲାଗି ବିକଳ୍ପ ଇନ୍ଧନ ଭାବେ କୋଇଲା ଏବଂ କିରାସିନି ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି। ସେଥିରେ ଆତିଥେୟତା ଏବଂ ରେସ୍ତୋରାଁଗୁଡ଼ିକ ରହିଛି। ଏଲ୍‌ପିଜି ଉପରେ ଚାପ କମାଇବା ପାଇଁ ଏହା କରାଯାଇଛି। ଏଥିସହିତ ଯେଉଁମାନଙ୍କ ପାଖରେ ଉଭୟ ପିଏନ୍‌ଜି ଓ ଏଲ୍‌ପିଜି ସଂଯୋଗ ରହିଛି ସେମାନଙ୍କୁ ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସରେଣ୍ଡର କରିବାକୁ ଗତ ୧୪ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗୁଜବକୁ ବିଶ୍ବାସ ନକରିବା ଏବଂ ନିମିଳିବା ଭୟରେ ଅଧିକ ମାତ୍ରାରେ ଗ୍ୟାସ ବୁକିଂ ନ କରିବାକୁ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି।

Shrutilipi ad