ବାରିପଦା- ସରକାରୀ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ “ରିସେଣ୍ଟ ଆର୍କଲୋଜିକାଲ ଟ୍ରେଣ୍ଡ୍ସ ଇନ ଓଡ଼ିଶା” ଶୀର୍ଷକ ଏକଦିବସୀୟ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ପାଠଚକ୍ରଟି ଅନୁଷ୍ଠିତ ହୋଇଥିବାବେଳେ ଇତିହାସ ବିଭାଗର ଅଧ୍ୟାପିକା ଶୁଚିସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ l ବିଭାଗୀୟ ମୁଖ୍ୟ ଲକ୍ଷ୍ମଣ ମୁର୍ମୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷା ମହୋଦୟା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ ପୂର୍ବକ ଆଲୋଚ୍ୟ ପ୍ରସଙ୍ଗ ଉପରେ ଆପଣା ମତ ରଖିଥିଲେ l ମୁଖ୍ୟ ବକ୍ତା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ସହକାରୀ ପ୍ରଫେସର ଆଲେକ୍ସ ହେମ୍ବ୍ରମ ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ଵିକ ସ୍ଥାନ ଉପରେ ବିଶଦ ଆଲୋଚନା କରିଥିଲେ l ସମ୍ମାନିତ ବକ୍ତା ଭି.ଏନ. ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ଅରବିନ୍ଦ ବୋଷ ଓଡ଼ିଶାର ସାମୁଦ୍ରିକ ପ୍ରତ୍ନତାତ୍ତ୍ଵିକ ତତ୍ତ୍ୱ ଓ ତଥ୍ୟର ମହତ୍ତ୍ୱ ବଖାଣିଥିଲେ l ଆଲୋଚନା ଚକ୍ରଟିରେ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ସହ ଛାତ୍ରୀଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ ବିମଣ୍ଡିତ କରିଥିଲେ l ଶେଷରେ ଅଧ୍ୟାପିକା ଶୁଚିସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ “ଲୋକ ଜୀବନ ଓ ଲୋକ ସାହିତ୍ୟ “ଶୀର୍ଷକ ଏକଦିବସୀୟ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ପାଠଚକ୍ରଟି ଅନୁଷ୍ଠିତ ହୋଇଥିବାବେଳେ ଅଧ୍ୟାପିକା ଡ. ରୂପଶ୍ରୀ ଦାସ ମଞ୍ଚ ପରିଚାଳନା କରିଥିଲେ l ପ୍ରାରମ୍ଭିକ ସମ୍ଭାଷଣରେ ଡ. ସିଂହ ମହୋଦୟା ଲୋକ ସାହିତ୍ୟ ସାଧାରଣ ଜୀବନ ଧାରାକୁ କିଭଳି ଶୃଙ୍ଖଳିତ କରି ଗଢ଼ି ତୋଳେ ଏବଂ ପ୍ରଥା ପରମ୍ପରାକୁ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ତାରି ଉପରେ ଆପଣା ମତ ଜାହିର କରିଥିଲେ l ବିଭାଗୀୟ ମୁଖ୍ୟ ଲମ୍ବୋଦର ନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଲୋକ ସାହିତ୍ୟର ବିଭିନ୍ନ ବିଭାଗକୁ ଆମୂଳରୁ ଚୂଳ ପର୍ଯ୍ୟନ୍ତ ଅବତାରଣା ପୂର୍ବକ ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରି ସାବଲୀଳ ଭାଷାରେ ଛାତ୍ରୀଗଣଙ୍କ ନିକଟରେ ଉପସ୍ଥାପିତ କରିଥିଲେ l ଯୁକ୍ତ ତିନି ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରୀଗଣ ପ୍ରବନ୍ଧ ପାଠ କରିଥିଲେ l ଆଲୋଚନା ଚକ୍ରଟିରେ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା ସହ ଛାତ୍ରୀଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ ବିମଣ୍ଡିତ କରିଥିଲେ l ଶେଷରେ ଅନୁଷ୍ଠାନିକ ଭାବେ ଅଧ୍ୟାପିକା ହୀରା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l