ଆଗରପଡ଼ା :ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ତହସିଲ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଗୋଚର ଜମିରୁ ଜବରଦଖଲ ହଟିଛି । ଗୋବିନ୍ଦପୁର ରାଜସ୍ୱ ଗ୍ରାମର ଖାତା ନଂ ୧୮୦, ପ୍ଲଟ ନଂ ୭୯୩ରେ ୧ ଏକର ୨୬ ଡିସିମିଲ ଗୋଚର ଜମିକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ମାଡ଼ି ବସିଥିଲେ । ଏନେଇ ସେହି ଗ୍ରାମର ଶ୍ରୀଧର ନାୟକ ପ୍ରଥମେ ବନ୍ତ ତହସିଲ ଓ ପରେ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରି ବିଫଳ ହୋଇଥିଲେ । ପରେ ଏବାବଦ ସେ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପି(ସି) ନଂ୨୬୧୩୧/ ୨୦୨୨ରେ ଆବେଦନ କରିଥିଲେ । ଉକ୍ତ ଆବେଦନର ବିଚାର କରି ଜବରଦଖଲରେ ଥିବା ଉପରୋକ୍ତ ଗୋଚର ଜମିକୁ ଉଚ୍ଛେଦ କରିବା ନିମନ୍ତେ ଆଦେଶ ନଂ ୨୮୦୯/୬.୭.୨୦୨୩ ଯୋଗେ ହାଇକୋର୍ଟ ବନ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶାନୁସାରେ ସଂପୃକ୍ତ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ବନ୍ତ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତିଙ୍କ ଉପସ୍ଥିତିରେ ସୁପରଭାଇଜର ବ୍ରଜ କିଶୋର ଦାସ, ଅମିନ ସେକ୍ ଜାକିର ହୁସେନ୍, କେନ୍ଦୁଆପଦା ଅତିରିକ୍ତ ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ ପାତ୍ର ପ୍ରମୁଖ ଉକ୍ତ ଉଚ୍ଛେଦ କାର୍ଯ୍ୟରେ ଉପସ୍ଥିତ ଥିଲେ । କେନ୍ଦୁଆପଦା ଫାଣ୍ଡି ଅଧିକାରୀ ନରେନ୍ଦ୍ର ରାଉତଙ୍କ ସମେତ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

