- ବିଇଓ ଓ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଡ଼ିଆ ନୋଡ଼ାଲ ଉପ୍ରା ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଚମ୍ପାବତୀ ଯେନାଙ୍କୁ ଜାତିଗତ ବିଭେଦ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ନେଇ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଆଡ଼ିଆ ଗ୍ରାମର ଗ୍ରାମବାସୀ,ଅଭିଭାବକ, ପରିଚାଳନା କମିଟି ସଭାପତି ଓ ସଭ୍ୟ/ସଭ୍ୟା ମଙ୍ଗଳବାର ଧାମନଗର ବ୍ଲକରେ ଆୟୋଜିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ସେମାନଙ୍କ ଅଭିଯୋଗକୁ ବିଚାରକୁ ନେଇ ଜିଲ୍ଲାପାଳ ବ୍ଲକ ଶିକ୍ଷାଧିକାର,ବନ୍ତ ଓ ଜନମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଉକ୍ତ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଡ଼ିଆ ନୋଡ଼ାଲ ଉପ୍ରା ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ଚମ୍ପାବତୀ ଯେନା ଓ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଯେନା ବିଦ୍ୟାଳୟରେ ଜାତିଆଣ ବିଭେଦ ଓ ସାମ୍ପ୍ରଦାୟିକ ଦଙ୍ଗାଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । ଉଭୟ ହରିଜନ ଓ ସବର୍ଣ୍ଣ ଭେଦଭାବ ଓ ଛୁଆଁ ଅଛ୍ରୁଆଁ ଭେଦ ଭାବ ସୃଷ୍ଟି କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ଯାହାକି ହରିଜନ ଛାତ୍ରଛାତ୍ରୀଙ୍କ ପାଠପଢା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛି । ଶ୍ରୀମତି ଯେନା ୨୦୧୩ ମସିହାରୁ ଉକ୍ତ ବିଦ୍ୟାଳୟରେ ଚାକିରୀ କରିଆସୁଛନ୍ତି । ଯାହାକି ସରକାରଙ୍କ ନିୟମ ବିରୁଦ୍ଧ । ସେ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ଚାକିରୀ କରୁଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରିବା । ପଦନପଡ଼ା ହରିଜନ ସାହି ପ୍ରାଥମିକ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମିପ୍ରିୟା ସାହୁଙ୍କ ସହମତି ଥିବାରୁ ଶ୍ରୀମତି ଯେନାଙ୍କୁ ଏଠାରୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଶ୍ରୀମତି ସାହୁଙ୍କୁ ଅବସ୍ଥାପିତ କରାଇବା । ଶ୍ରୀମତି ଯେନାଙ୍କ ସ୍ୱାମୀ ଜିତେନ୍ଦ୍ର ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଦଳୀୟ ପ୍ରଭାବ ପକାଇ ବିଭିନ୍ନ ସମୟରେ ଅଭିଭାବକଙ୍କୁ ଧମକଚମକ ଦେଉଛନ୍ତି । ଅଧିକାଂଶ ଅଭିଭାବକ ହରିଜନ ସମ୍ପ୍ରଦାୟର ହୋଇଥିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଉକ୍ତ ଅଂଚଳର ସମସ୍ତ ଦୋକାନୀଙ୍କୁ ଆଡ଼ିଆ ପୋଖରୀସାହୀ ହରିଜନଙ୍କୁ ସୌଦା ପତ୍ର ନଦେବା ଓ କଥାବାର୍ତ୍ତା ନକରିବାକୁ ପ୍ରବର୍ତ୍ତାଇବା ସହ ଆଡ଼ିଆ ଗ୍ରାମର ସମସ୍ତ ନିମନ୍ତ୍ରଣ ଓ ଭୋଜି ଭାତରୁ ବାସନ୍ଦ କରିବା ସହ ଏକଘରିଆ କରିରଖିଛନ୍ତି । ତେଣୁ ସେମାନେ ଶ୍ରୀମତି ଯେନା ଓ ତାଙ୍କ ସ୍ୱାମୀଙ୍କ ଏତାଦୃଶ୍ୟ କାର୍ଯ୍ୟରେ ଅତିଷ୍ଠ ହୋଇ ସେମାନଙ୍କ ବିରୁୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଯଦି ଆସନ୍ତା ୭ଦିନ ମଧ୍ୟରେ ଅଭିଯୋଗ ଉପରେ ତଦନ୍ତ କରାଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେମାନେ ବିଦ୍ୟାଳୟ ଓ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଅଭିଯୋଗର ଏକକିତା ନକଲ ବିଧାୟକ,ଭଣ୍ଡାରିପୋଖରୀ,ଜିଲ୍ଲା ଶିକ୍ଷାଧିକାରୀ,ବ୍ଳକ ଶିକ୍ଷାଧିକାରୀ,ପ୍ରଧାନଶିକ୍ଷୟିତ୍ରୀ ଓ ସିଆରସିସିଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି ।