ବାରିପଦା- ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଅନ୍ତର୍ଗତ ଅଁଳାଡୁବା କୋହ୍ଲସାହିରେ ଆଦିବାସୀ ଝିଅ ମଞ୍ଜୁ ପରିବାର ରୁହନ୍ତି l ବାଲ୍ୟକାଳରୁ ଉପେକ୍ଷିତ, ଅବହେଳିତ ଓ ସରକାରୀ ସୁବିଧାରୁ ବଂଚିତ ହୋଇ ଆସିଛନ୍ତି ମଞ୍ଜୁ l ଆଦିବାସୀ ପରିବାରରେ ଜନ୍ମ ହୋଇ ସୁଦ୍ଧା ନିଜର ପ୍ରକୃତ ଜାତି ପରିଚୟ ହରାଇଥିଲେ l ତାଙ୍କରି ଜାତି କେବଳ ସରକାରୀ ରେକର୍ଡରେ ନୁହେଁ କଥିତରେ ସୀମିତ ଥିଲା l ନିଜର ଜାତି କୋହ୍ଲ ଏବଂ ଗୋତ୍ର ହେମ୍ବ୍ରମ ପରିଚୟ ଦେଉଥିବା ପରିବାରଙ୍କ ପୂର୍ବପୁରୁଷଙ୍କ ଜାତି ଅନୁସାରେ ରାଇରଙ୍ଗପୁର ସହରର ଅଁଳାଡୁବା କୋହ୍ଲସାହି ଗଢ଼ି ଉଠିଛି l ମାତ୍ର ଖୋଦ୍ ତାଙ୍କରି ପରିବାରର ପୁଅଝିଅଙ୍କ ଜାତି ପ୍ରମାଣପତ୍ର ପାଇଁ ଦିନେ ସଂଘର୍ଷ କରିବାକୁ ପଡ଼ିବ, ଏକଥା ହୁଏତ ତାଙ୍କରି ପରିବାର ଲୋକେ କେବେ କଳ୍ପନା କରି ନଥିଲେ l ଦିନ ମଜୁରିଆ ଆଦିବାସୀ ପରିବାରର ଝିଅ ମଞ୍ଜୁ ଜାତି ପ୍ରମାଣପତ୍ର ଅଭାବରୁ ସାଧାରଣ ବର୍ଗର ଛାତ୍ରୀ ରୁପେ ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି l ତାଙ୍କରି ଆଦିବାସୀ ସହପାଠୀମାନେ ଜାତି ପ୍ରମାଣପତ୍ର ଦେଇ ଷ୍ଟାଇପେଣ୍ଟ ଟଙ୍କା ସହିତ ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ସେଥିରୁ ସେ ବାଦ ପଡିଥିଲେ l ଜାତି ପ୍ରମାଣପତ୍ର ଅଭାବରୁ ମନର କୋହଭରା ଦୁଃଖକୁ ଛାତିରେ ଚାପି ଧରିଥିଲେ l ନିଜର ମେଧାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଗତ ୨୦୨୪ ମସିହାରେ ମୟୂରଭଂଜ ଜିଲ୍ଲା ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ (ଉଦ୍ଭିଦ ବିଜ୍ଞାନ ସମ୍ମାନ) ଉତ୍ତୀର୍ଣ୍ଣ ହେଇଛନ୍ତି l ବିଜ୍ଞାନରେ ସ୍ନାତକ ଶେଷ କରି ଉଚ୍ଚ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର ଅଭାବରୁ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ l
ନିଜ ପରିବାର ସଦସ୍ୟଙ୍କ ନାଁ ରେ ଜମିପଟ୍ଟା ନାହିଁ, ତେଣୁ କାଟି ପ୍ରମାଣପତ୍ର ମିଳିବାରେ ସମସ୍ୟା ହେଉଥିଲା l ଦିନ ମଜୁରିଆ ମା ସୁରଥି ନିଜ ଝିଅ ମଞ୍ଜୁର ପାଠପଢ଼ା ପାଇଁ ଜାତି ପ୍ରମାଣପତ୍ର ପାଇଁ ଅନେକ କଷ୍ଟ କରି ସୁଦ୍ଧା ସଫଳ ହେଲେ ନାହିଁ l ରୋକଠୋକ ଜନସେବା କେନ୍ଦ୍ର ବାଲା ତୁମର ଜାତି ପ୍ରମାଣପତ୍ର ପାଇଁ ଜାତି ଲେଖାଥିବା ଜମିପଟ୍ଟା ନାହିଁ, ତେଣୁ ଜାତି ପ୍ରମାଣପତ୍ର ମିଳିବାର ସମ୍ଭାବନା ନାହିଁ ବୋଲି କହିଥିଲେ l ମା’ ଙ୍କ ପରେ ମଞ୍ଜୁ ନିଜର ଜାତି ପ୍ରମାଣପତ୍ର ପାଇଁ ସଂଘର୍ଷ ଆରମ୍ଭ କରିଥିଲେ l ତାଙ୍କରି ବିଶ୍ୱାସ ଥିଲା ନିଶ୍ଚିତ ଜାତି ପ୍ରମାଣପତ୍ର ପାଇବାରେ ସଫଳ ହେବେ ବୋଲି l ଏଥିପାଇଁ ବିଭିନ୍ନ ଅଧିକାରୀ, ସାମାଜିକ କର୍ମୀମାନଙ୍କର ପରାମର୍ଶ ନେଇଛନ୍ତି l ମୟୂରଭଞ୍ଜ ଜିଲ୍ଲାପାଳ, ରାଇରଙ୍ଗପୁର ତହସିଲଦାର ଏବଂ ରାଇରଙ୍ଗପୁର ବିଧାୟକଙ୍କୁ ଭେଟି ଜାତି ପ୍ରମାଣପତ୍ର ପାଇଁ ଗୁହାରି କରିଛନ୍ତି l ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ ଯୋଗୁଁ ଗତ ୯ ଜୁଲାଇ ୨୦୨୪ ରେ ରାଇରଙ୍ଗପୁର ତହସିଲ ରୁ ଆଦିବାସୀ ‘ କୋହ୍ଲ ‘ ଜାତି ପ୍ରମାଣପତ୍ରଟିଏ ହାସଲ କରିବାକୁ ସକ୍ଷମ ହେଲେ l ନିଜର ଜାତି ପ୍ରମାଣପତ୍ର ହେବା ପରେ ସାନଭାଇ ବଡରାମ ଓ ସାନଭଉଣୀ ରାକ୍ଷୀ ପାଇଁ ମଧ୍ୟ ଜାତି ପ୍ରମାଣପତ୍ର ସଂଗ୍ରହ କରିଥିଲେ l ନିଜ ମା’ ଙ୍କ ପରାମର୍ଶ ମାନି ଚାଲୁଥିବା ମଞ୍ଜୁ ନିଜ ପରିବାରର ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ ଦେଖୁଛନ୍ତି l ରୋଜଗାରକ୍ଷମ ହେବା ପାଇଁ ସରକାରୀ ଚାକିରିଟିଏ ଆଶା କରିଛନ୍ତି l ପରିବାରିକ ଆର୍ଥିକ ସମସ୍ୟା ସତ୍ତ୍ୱେ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି l ଏଥିପାଇଁ ମନରେ ଦୃଢ଼ ମନୋବଳ, ନିଷ୍ଠା ଓ ଅଦମ୍ୟ ସାହସ ରଖି କର୍ମ କରି ଚାଲିଛନ୍ତି l
ମଞ୍ଜୁଙ୍କ ପାଇଁ ସରକାରୀ ଅଥବା ବେସରକାରୀ ସହଯୋଗ, ସମବେଦନାଟିଏ ନାହିଁ l ଏହା ସତ୍ତ୍ୱେ ମନରେ ଅଦମ୍ୟ ସାହସ ଓ ଉତ୍ସାହକୁ ନେଇ ଆଗକୁ ମାଡ଼ି ଯିବାର ଏକାଗ୍ରତା ତାଙ୍କରି ବ୍ୟକ୍ତିତ୍ଵକୁ ଗରିୟସୀ କରିଛି l ଗତ ୩୦ ମାର୍ଚ୍ଚ ୨୦୨୫ ଦିନ ରାଇରଙ୍ଗପୁର କଚେରୀ ପଡ଼ିଆଠାରେ ଆୟୋଜିତ ଜାତୀୟ ହୋ ଗାଲାଙ୍ଗ କାର୍ଯକ୍ରମରେ ତାଙ୍କରି କୃତିତ୍ୱ ପାଇଁ ତାଙ୍କୁ ରାଇରଙ୍ଗପୁର ବିଧାୟକ ଜଳେନ ନାଏକଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି l ଯାହାକି ତାଙ୍କୁ ଆଗକୁ ସଂଘର୍ଷ ପଥରେ ଆଗେଇ ନେବାରେ ପ୍ରେରଣା ପ୍ରଦାନ କରିଛି l ନିଜ କାଟି ସମାଜ ଠାରୁ ଏପରି ଏକ ଭବ୍ୟ ଉତ୍ସବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଓ ଗୌରବ ଅନୁଭବ କରିବା ସହିତ ଖୁସିରେ ଅତ୍ୟନ୍ତ ଭାବ ପ୍ରବଣ ହୋଇ ଯାଇଥିଲେ l ଯେମିତି ମଞ୍ଜୁଆତିକୁ ଝିଅ, ମହିଳାମାନେ ନିଜ ହାତର ସୁନ୍ଦରତା ବୃଦ୍ଧି ପାଇଁ ଲଗାଇ ଥାଆନ୍ତି l ଠିକ୍ ସେମିତି ଅଁଳାଡୁବାର ମଞ୍ଜୁ ହାତରେ ଧୈର୍ଯ୍ୟର ମଞ୍ଜୁଆତିକୁ ଧରି ଆଗକୁ ବଢିବା ପାଇଁ କର୍ମ କରି ଚାଲିଛନ୍ତି l

