ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ମହିଳାକୁ ସ୍ୱାବଲମ୍ବୀ କରାଇବାର ପ୍ରୟାସ ଜାରୀ ରଖିଥିବା ବେଳେ ଟେରାକୋଟା ଶିଳ୍ପ ଏହାର ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଜଣାପଡ଼ିଛି । ଉକ୍ତ ଶିଳ୍ପକୁ ପାଥେୟ କରି ବହୁ ମହିଳା ନିଜର ଜୀବନ ଓ ଜୀବିକାକୁ ସରସ ସୁନ୍ଦର କରିପାରିଛନ୍ତି । ଏହିପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତରେ । ମହାନ୍ତିପଡ଼ା ପଂଚାୟତର ତ୍ରିସାଲିଆ ଏହିପରି ଏକ ଗ୍ରାମ ଯେଉଁ ଗ୍ରାମରେ ୭୦ ପରିବାରର ପାଖାପାଖି ୫୦୦ ଜଣ କୁମ୍ଭକାର ସମ୍ପ୍ରଦାୟର । କିନ୍ତୁ ସମୟ ଚକ୍ରରେ କୁମ୍ଭକାରଙ୍କ ବେଊସା ହଜିହଜି ଯାଉଥିବା ବେଳେ ଟେରାକୋଟା ଶିଲ୍ପକୁ ପାଥେୟ କରି ବହୁ ମହିଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଓଡ଼ିଶାର ପ୍ରମୁଖ ପର୍ବପର୍ବାଣୀ ମଧ୍ୟରେ ବିଷୁବ ସଂକ୍ରାନ୍ତି ଅନ୍ୟତମ । ଏହି ସଂକ୍ରାନ୍ତି ଓଡ଼ିଆ ନୁଆ ବର୍ଷ ତଥା ପଣା ସଂକ୍ରାନ୍ତି ରୂପେ ପାଳିତ ହୋଇଥାଏ । ଉକ୍ତ ସଂକ୍ରାନ୍ତିର ଏକ ବିଶେଷ ମାହାତ୍ମ୍ୟ ଅଛି । ଏହି ସଂକ୍ରାନ୍ତିରେ ଶକ୍ତି ପୀଠ ଗୁଡ଼ିକରେ ଦେବୀଙ୍କୁ ମାଟିରେ ନିର୍ମିତ ଘୋଡ଼ା ଅର୍ପଣ କରିବାର ପରମ୍ପରା ରହି ଆସିଛି । ବର୍ଷ ସାରା ମାଟି ଘୋଡ଼ା ଅଲୋଡ଼ା ହୋଇ ପଡ଼ିଥିବା ବେଳେ ପଣା ସଂକ୍ରାନ୍ତିରେ ମା’ଙ୍କ ପୀଠରେ ଉକ୍ତ ଏହାକୁ ବସାଇ ନିଜର ମାନସିକ ପୂରଣ ପାଇଁ ଖୋଜି ଥାଏ ।
ତେଣୁ ଉକ୍ତଙ୍କ ଚାହିଦାକୁ ପୂରଣ କରିବା ପାଇଁ ବର୍ଷ ସାରା ଅନ୍ୟ ସାମଗ୍ରୀ ନିର୍ମାଣରେ ନିଜକୁ ନିୟୋଜିତ କରିଆସୁଥିବା ଟେରାକୋଟା ଶିଳ୍ପୀ ବର୍ତ୍ତମାନ ମାଟିଘୋଡ଼ା ନିର୍ମାଣରେ ବ୍ୟସ୍ତ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ମହାନ୍ତିପଡ଼ା ପଂଚାୟତ ଅନ୍ତର୍ଗତ ତ୍ରିସାଲିଆ ଗ୍ରାମର ବିଭିନ୍ନ ଗୋଷ୍ଠୀ ବର୍ତ୍ତମାନ ମାଟି ଘୋଡ଼ା ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରତି ଗୋଷ୍ଟୀରେ ପାଖାପାଖି ୧୫ରୁ ୨୦ଜଣ ମହିଳା ନିୟୋଜିତ ଅଛନ୍ତି । ଛୋଟରୁ ବଡ଼ ବିଭିନ୍ନ ପ୍ରକାର ସାଇଜ୍ ର ମାଟି ଘୋଡ଼ା ନିର୍ମାଣ ଚାଲିଛି । ଏହାକୁ ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ବ୍ଳକର ବିଭିନ୍ନ ସ୍ଥାନକୁ ବିକ୍ରୀ ପାଇଁ ପଠାଯାଉଥିବା ବେଳେ ହାଟବାରିରେ ବିଭିନ୍ନ ସ୍ଥାନରେ ଏହା ବିକ୍ରୀ ହେଉଛି । ବର୍ତ୍ତମାନ ଏହାକୁ ନିର୍ମାଣ କରି ଗୋଷ୍ଠୀର ମହିଳା ଭଲ ରୋଜଗାର କରିବାର ଆଶା ବ୍ୟକ୍ତ କରିଛନ୍ତି । ତେଣୁ ବୁଡ଼ିଯାଉଥିବା କୁମ୍ଭକାର ବେଉସା ପରିବାରର ସଦସ୍ୟଙ୍କୁ ସରକାର ଉକ୍ତ ଶିଳ୍ପରେ ନିୟୋଜିତ ହେବାକୁ ପ୍ରୋତ୍ସାହିତ କରାଇପାରିଲେ ଏହା ଅଧିକ ଲୋକପ୍ରିୟ ହୋଇ ପାରନ୍ତା ବୋଲି ମତବ୍ୟକ୍ତ କରିବା ସହ ଏଥିପାଇଁ ଅଧିକ ପ୍ରଶିକ୍ଷଣର ବ୍ୟବସ୍ଥା ଓ ଊନ୍ନତମାନର ଯନ୍ତ୍ରପାତି ଯୋଗାଇ ଦେବା ସହ ଆର୍ଥିକ ସହାୟତାର ସୁବନ୍ଦୋବସ୍ତ କରାଇବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

