ବାରିପଦା: ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ତାରିଖ ୦୧.୦୪.୨୦୨୫ ଠାରୁ ୧୪.୦୪.୨୦୨୫ ପର୍ୟ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଛି । ଏହି କାର୍ୟ୍ୟକ୍ରମର କାର୍ୟ୍ୟସୂଚୀ ଅନୁସାରେ ୦୭.୦୪.୨୦୨୫ ସୋମବାର ଦିନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ବଣ୍ଟନ ସହ “ବର୍ଣ୍ଣବୋଧ ଉତ୍ସବ” ପାଳନ କରାଯାଇଛି । ଓଡିଆ ଭାଷା ପ୍ରତିଷ୍ଠାନ, ଓଡିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଏହି ବର୍ଣ୍ଣବୋଧ ପୁସ୍ତକ ପ୍ରଥମ ପର୍ୟ୍ୟାୟରେ ବାରିପଦା ବ୍ଲକ ଏବଂ ଶୁଳିଆପଦା , ବାଙ୍ଗ୍ରିପୋଷି ଓ ସ।ରସକଣ। ବ୍ଲକର ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସୀମାକୁ ଲାଗି ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ପର୍ୟ୍ୟାୟରେ ଏହା ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଯୋଗାଇ ଦିଆଯିବ ।
ଏହି ନୂତନ ବର୍ଣ୍ଣବୋଧଟି ୧୯୦୧ ସଂସ୍କରଣ ର ଏକ ନୂତନ ସଂସ୍କରଣ । ଏ ପୁସ୍ତକ ଓଡିଆ ଜାତିର ମନ ଓ ମାଟି ସହ ଅଙ୍ଗାଙ୍ଗୀ ଭାବରେ ଜଡିତ । ଶିଶୁ ଓ ଶିକ୍ଷକ ଗହଣରେ ଏହା ବିଶେଷ ଆଦୃତ ହେବାର ଆଶା ରଖି ଏହି ପୁସ୍ତକ ବଣ୍ଟନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଜଣାଇଛନ୍ତି ।
ଆଜି ପାଳିତ ହୋଇଥିବା ଏହି ବର୍ଣ୍ଣବୋଧ ଉତ୍ସବରେ ମାନ୍ୟବର ମନ୍ତ୍ରୀ, ଶ୍ରୀଯୁକ୍ତ ଗଣେଶ ରାମ ସିଂହ ଖୁଣ୍ଟିଆ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାର, ଯଶିପୁର ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମ।ହାର୍ଦ୍ଦ।ପଳସା ଠାରେ ଯୋଗ ଦେଇ ପିଲାଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିବା ସହ ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ । ମାନ୍ୟବର ମନ୍ତ୍ରୀ ଏହି ଅବସରରେ “ବର୍ଣ୍ଣବୋଧ ମାତୃଭାଷା ଶିକ୍ଷଣର ମୂଳଦୁଆ ଓ ଏହାର ବହୁଳ ବ୍ୟବହାର ମାତୃଭାଷାକୁ ଅଧିକ ଋଦ୍ଧିମନ୍ତ କରିବ” ଏହା ମତବ୍ୟକ୍ତ କରିଥିଲେ ।
ସେହିଭଳି, ବାରିପଦା ସ୍ଥିତ ଆରତୀ ବିଦ୍ୟାମନ୍ଦିର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସମଗ୍ର ଶିକ୍ଷା, ମୟୂରଭଞ୍ଜ କାର୍ୟ୍ୟ।ଳୟର ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ, ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି ଓ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକ ଯୋଗ ଦେଇ ପିଲାଙ୍କୁ ବର୍ଣ୍ଣବୋଧ ବଣ୍ଟନ କରିବା ସହ ବର୍ଣ୍ଣବୋଧ ପୁସ୍ତକ ପଠନ ନିମନ୍ତେ ଉତ୍ସାହିତ କରିଥିଲେ ।