ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସୁମିତ୍ରା ବର୍ତ୍ତମାନ ବାଇକ୍୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେବା ସହ ବଂଚିବାର ରାହା ଖୋଜୁଛନ୍ତି । ଗତ ଶୁକ୍ରବାର(୨୮ତାରିଖ)ଆଗରପଡ଼ା ଠାରେ ସୁମିତ୍ରାଙ୍କ ବାଇକ୍ ସହ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତାଙ୍କର ଗୋଡ଼ ଓ ଦୁଇ ହାତ ଭାଙ୍ଗି ଯାଇଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ରେଫର କରାଯାଇଥିଲା । କିନ୍ତୁ ତାଙ୍କର କେହିବି ଆତ୍ମୀୟ ନଥିବାରୁ ପୂର୍ବରୁ ବନ୍ତ ବ୍ଳକରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରିବା ସହ ସାମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ଦାଇତ୍ୱ ତୁଲାଉଥିବା ବର୍ତ୍ତମାନ ଭଣ୍ଡାରିପୋଖରୀ ବ୍ଲକରେ କାର୍ଯ୍ୟରତ ପିଇଓ ନିଶାକର ଖୁଣ୍ଟିଆ ଶନିବାର ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚି ସୁମିତ୍ରାର କଟକ ଯିବାର ସମସ୍ତ ବନ୍ଦୋବସ୍ତ କରିଥିଲେ । ସୁମିତ୍ରା କଟକ ପହଂଚିବା ପରେ ତାର ଅସ୍ତ୍ରୋପଚାର ପାଇଁ ସମ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାର ସମସ୍ତ ସୁବିଧା ଉପଲବ୍ଧ ଥିବା ଓ ସୁମିତ୍ରା ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଥିବା ସତ୍ତ୍ୱେ ପାଖରେ କେହିବି ଆମ୍ôୀୟ ନଥିବାରୁ ସେ ଉତ୍ତମ ଚିକିତ୍ସା ପାଇବାରୁ ବଂଚିତ ହୋଇଥିବା ଜଣାପଡ଼ିଛି । ତତ୍ ସହିତ ଅସ୍ତ୍ରୋପଚାର ପାଇଁ ରକ୍ତର ଆବଶ୍ୟକତାଥିବାରୁ ତାହା ମଧ୍ୟ ମିଳିପାରୁ ନାହିଁ । ଶେଷରେ ସେଠାରୁ ନିରାଶ ହୋଇ ସୁମିତ୍ରା ବର୍ତ୍ତମାନ ଭଦ୍ରକ ମେଡ଼ିକାଲରେ ଏକାକି ପଡ଼ିରହି ବଂଚିବାର ରାହା ଖୋଜୁଛନ୍ତି ।
ସ୍ଥାନୀୟ ବିଧାୟକଙ୍କ ଠାରୁ ସାହାର୍ଯ୍ୟ ଭିକ୍ଷା କରିବା ସହ ସିଆରଏସଆର କିମ୍ବା କୌଣସି ସାମାଜିକ ସଂଗଠନ ତାଙ୍କୁ ସହଯୋଗ କରିବାକୁ ସୁମିତ୍ରା ଆକୁଳ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ;୧୯୬୦ ମସିହା ଅପ୍ରେଲ ମାସ ୧୧ ତାରିଖରେ ପିତା କ୍ଷେତ୍ରବାସୀ ସାହୁ ଓ ମାତା ପ୍ରଭାଦେବୀଙ୍କ କୋଳରେ ଜନ୍ମ ଲାଭ କରିଥିଲେ ସୁମିତ୍ରା । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ସୁମିତ୍ରା ଜଣେ ବିଦ୍ୟାଙ୍ଗ ବୋଲି ଜାଣିବାକୁ ପାଇଥିଲେ ପିତାମାତା । ଆର୍ଥିକ ସମ୍ବଳ ନଥିଲେ ସୁଦ୍ଧା ଧାର ଉଧାର କରି ପିତା ତାଙ୍କ ଅସ୍ତ୍ରୋପଚାର କରାଇଥିଲେ । କିନ୍ତୁ ଅସ୍ତ୍ରୋପଚାର ପରେ ସୁମିତ୍ରାଙ୍କ ଠାରେ ଅଧିକ ଦିବ୍ୟାଙ୍ଗତା ପ୍ରକାଶ ପାଇଥିଲା । କିନ୍ତୁ ସୁମିତ୍ରା ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଦିବ୍ୟାଙ୍ଗ ହୋଇମଧ୍ୟ ଆଗରପଡ଼ା ବାଳିକା ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲେ । କିନ୍ତୁ ବାପା ଜଣେ ସାଧାରଣ ଚାଷୀ ହୋଇଥିବାରୁ ୪ଭଉଣୀ ଓ ୨ ଭାଇଙ୍କୁ ପରିବାର ପ୍ରତିପୋଷଶରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେ ଆଉ ବେଶୀ ପଢାପଢି କରିପାରିନଥିଲେ । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ବାପା ହାଟଡ଼ିହି ବ୍ଲକ ଅନ୍ତର୍ଗତ ବଡ଼ ରମ୍ପାସ ଗ୍ରାମର ଭକ୍ତଶେଖର ସାହୁଙ୍କ ସହିତ ତାଙ୍କର ବିବାହ କରାଇଥିଲେ । ପରେ ଭକ୍ତ ଶେଖର ଆସି ସୁମିତ୍ରାଙ୍କ ଘରେ ରହିବାପରେ ବିବାହର ବର୍ଷେ ପରେ ତାଙ୍କୁ ଛାଡ଼ି କେଉଁ ଆଜେ ପଳାଇଯାଇଥିଲେ । ବାପାମା’ଙ୍କ ମୃତ୍ୟୁୁପରେ ଭାଇ ଭାଉଜଙ୍କ ଉପରେ ବୋଝ ନହୋଇ ସୁମିତ୍ରା ଏକାକି ନିଜ ଜୀବନ ନୌକାକୁ ବାହି ଚାଲିଛନ୍ତି । ସରକାରଙ୍କ ତରଫରୁ ଏକ ଇନ୍ଦିରା ଆବାସ,ଟ୍ରାଇସାଇକେଲ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଉଛନ୍ତି ।