ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଏକ ଗାଁରେ ଗତକାଲି ରାତିରେ ବୋମା ବିସ୍ଫୋରଣ ହୋଇଛି । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ସାଧେଇଗଡ଼ ଗାଁରେ ।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ସାଧେଇଗଡ଼ ଗାଁରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଜଣେ ବ୍ୟକ୍ତି ଏକ ବ୍ୟାଗରେ ବୋମା ଧରି ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା ।
କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ପାଇବା ପରେ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ଜାରି ରହିଥିଲେ ମଧ୍ୟ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ।