ଆଗରପଡ଼ା :ଆଉ ଏକ ନୂତନ ଆର୍ôଥକ ବର୍ଷ ଆରମ୍ଭ ହେବା ସହିତ ଯୋଜନାକୁ ୫ବର୍ଷ ପୂରିଯିବା ପରେ ମଧ୍ୟ ୩ଲକ୍ଷରୁ ଉର୍ଦ୍ଧ ଅର୍ଥ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ନିର୍ମାଣକୁ ୫ବର୍ଷ ପୂରି ଯାଇଥିଲେ ସୁଦ୍ଧା ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣାଧିନ କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଦାହରଣ ସ୍ୱରୂପ କାଦବରାଙ୍ଗ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ନିକଟରେ, ପୁରୁଷଣ୍ଢ ପଂଚାୟତର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ,ଆଡ଼ିଆ ପଂଚାୟତର ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ,ଓଡ଼ଙ୍ଗ ପଂଚାୟତର ସତିସାବିତ୍ରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏହିପରି ବିଭିନ୍ନ ସ୍ଥାନରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ଅନ୍ୟତମ । ଉକ୍ତ କେନ୍ଦ୍ରଗୁଡ଼ିକର ନିର୍ମାଣ ସରିଥିଲେ ସୁଦ୍ଧା ଏହା କେଉଁ କାରଣରୁ ବ୍ୟବହାର କରାଯାଉନାହିଁ ,ଉକ୍ତ କେନ୍ଦ୍ରର ଦାଇତ୍ୱ କିଏ ବହନ କରୁଛନ୍ତି ଏହା ଜାଣିବା ପାଇଁ ବିଭାଗୀୟ କନିଷ୍ପ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଏହାର ସନ୍ତୋଷ ଜନକ ଉତ୍ତର ମିଳିପାରୁନାହିଁ । ତେଣୁ ନିର୍ମାଣ ସରିବାର ବର୍ଷାଧିକ କାଳପରେ ମଧ୍ୟ କେନ୍ଦ୍ରଗୁଡ଼ିକ ବ୍ୟବହାର ନହୋଇ ପଡ଼ିରହିଥିବା ଯୋଗୁଁ ଏହା ବ୍ୟବହାର ହେବା ବେଳକୁ ପୁନଃ ମରାମତି ମାଗିବା ପରିସ୍ଥିତି ସୃଷ୍ଟି ହେବାର ସୂଚନା ମିଳୁଛି । ସେହିପରି ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଗରପଡ଼ା ବଜାରରେ ୭ଲକ୍ଷ ଟଙ୍କା ବ୍ୟୟରେ ବିଟିପୁର ପଂଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ଗୋଷ୍ଠୀ ପରିମଳ କେନ୍ଦ୍ରର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ବନ୍ଦ ହୋଇପଡ଼ିଥିବା କେନ୍ଦ୍ର ଗୁଡ଼ିକ ପୁନଃ ମରାମତି ମାଗିବା ପୂର୍ବରୁ କିପରି ବ୍ୟବହାର ହୋଇପାରିବ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ପଂଚାୟତ ବାସୀଙ୍କ ପକ୍ଷରୁ ଦାବି ହେଉଛି ।
