Photo For The News Of Restshed

ବର୍ଷ ପରେ ବର୍ଷ ବିତି ଚାଲିଛି, ସ୍ଥାୟୀ ବିଶ୍ରାମାଗାର ନିର୍ମାଣ ହୋଇପାରୁନି

State

ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥବା ରାସ୍ତାର ବିଭିନ୍ନ ଛକ ଜାଗାରେ ସ୍ଥାୟୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ଏଣେତେଣେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି । ଆଗରପଡ଼ା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥବା ଏହି ବ୍ୟସ୍ତ ବହୁଳ ରାସ୍ତା ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ମାନ ନିର୍ମାଣ ହୋଇଛି । ମାତ୍ର ଏହି ବିଶ୍ରାମାଗାର ଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ ଯାତ୍ରୀମାନେ ଏହା ମଧ୍ୟରେ ବସିବା ତ ଦୂରରକଥା,ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଭଦ୍ରକ, ବାଲେଶ୍ୱର ଓ କେଉଁଝର ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ଥିବାରୁ ଏହି ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ ଗୁଡ଼ିକ ଚଳାଚଳ କରିଥାଏ । ତେଣୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକମାନେ ଏଠାରେ ଅପେକ୍ଷା କରିଥାନ୍ତି । ମାତ୍ର ସେପରି ସ୍ଥଳେ ସ୍ଥାନୀୟ କଲେଜ ଛକ ଠାରେ ଆଜିଯାଏ ବିଶ୍ରାମାଗାର ନିର୍ମାଣ ହୋଇପାରି ନାହିଁ । ମହତାବ ଛକ ଠାରେ ଥିବା ବିଶ୍ରାମାଗାରଟି ରାସ୍ତା ପ୍ରଶସ୍ତିକରଣ ସମୟରେ ଭାଙ୍ଗି ଦିଆଯାଇଛି । ସିନେମା ହଲ ଛକ ବିଶ୍ରାମାଗାର ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ସେହିପରି ଆଗରପଡ଼ା ବଜାରରେ ମଧ୍ୟ ଯାତ୍ରୀଙ୍କ ନିମନ୍ତେ ବିଶ୍ରାମାଗାରଟିଏ ନାହିଁ । ଏଠାରୁ ୨ କିମି ଦୂରବର୍ତ୍ତୀ ବିଶଲକଣା ପରେ ଶେଉଳଗଡ଼ିଆ ଥିବା ବିଶ୍ରାମାଗାର ଅବ୍ୟବହୃତ ଅବସ୍ଥାରେ ରହିଛି । ସେହିପରି ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ବୋଡ଼କମହାଜୀବ ଛକରେ ନିର୍ମାଣ ହୋଇଥିବା ବିଶ୍ରାମାଗାର ମଧ୍ୟ ବ୍ୟବହାର ଯୋଗ୍ୟ ହୋଇପାରିନଥିବା ବେଳେ ଜାମବଣୀ ଛକରେ ଥିବା ବିଶ୍ରାମାଗାରକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଏଠାରେ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ ପାଇଁ ବିହିତ ପଦକ୍ଷେପ ନେବାର ସୂଚନା ପ୍ରଦାନ କରାଯାଇଥିଲା କିନ୍ତୁ ଇତି ମଧ୍ୟରେ ୨ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ବିଶ୍ରାମାଗାର ନିର୍ମାଣକୁ ନେଇ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନାହିଁ । ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବଯୋଗୁଁ ଅର୍ଥ ମହଜୁଦ ଥାଇ ମଧ୍ୟ ଏଠାରେ ବିଶ୍ରାମାଗାର ନିର୍ମିତ ହୋଇପାରୁନାହିଁ । ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶ୍ରାମାଗାର ଗୁଡିକୁ ସୁବ୍ୟବହାର ଯୋଗ୍ୟ କରାଯିବା ସହ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି ।