ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଠାରୁ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ। ରାମନବମୀ ଥିବାରୁ ଏଥର ପ୍ରତିଷ୍ଠା ଦିବସ ଦୁଇ ଦିନ ଯାଏଁ ଜାରି ରହିବ। ଏଥି ସହିତ ଆସନ୍ତାକାଲି (ରବିବାର) ଠାରୁ ଆମ୍ବେଦକର ଜୟନ୍ତୀ (ଅପ୍ରେଲ ୧୪) ଯାଏଁ ବିଜେପିର ଜନସଂପର୍କ ଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ତେଣୁ ଏହି କାର୍ଯ୍ୟକ୍ରମକୁ ନିଆରା କରିବାକୁ ଲକ୍ଷ୍ୟ ରଖିଛି। ପ୍ରତିଷ୍ଠା ଦିବସ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ସାମଲ କହିଛନ୍ତି, ପ୍ରତିଷ୍ଠା ଦିବସ ବୁଥ୍ସ୍ତରରୁ ପାଳନ କରାଯିବ। ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଉଡ଼ାଇବେ। ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ। ସଦସ୍ୟମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିବେ। ଘରୁ ଆଣିଥିବା ବ୍ୟଞ୍ଜନକୁ ବୈଠକରେ ଅନ୍ୟ ସଦସ୍ୟମାନଙ୍କ ସହିତ ବସି ଏକାଠି ଖାଇବେ। ଏହି ବୈଠକରେ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ। ସଂଗଠନକୁ ଅଧିକ ସୁଦୃଢ଼ ଏବଂ ଲୋକାଭିମୁଖୀ କରିବାକୁ ପଦକ୍ଷେପ ନିଆଯିବ। କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନେ ଯୋଗଦେବେ। ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ ସେମାନେ ୭ ତାରିଖରେ ପାଳନ କରିବେ।
ରବିବାରଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନସଂପର୍କ କାର୍ଯ୍ୟକ୍ରମ ହେବ। ବିଜେପିର କାର୍ଯ୍ୟକର୍ତ୍ତାମାନେ ଘରଘର ଯାଇ ଜନସଂପର୍କ କରିବେ। ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବେ।
-ମନମୋହନ ସାମଲ, ରାଜ୍ୟ ସଭାପତି, ବିଜେପି
ସୂଚନାଯୋଗ୍ୟ, ବିଜେପି ଆସନ୍ତାକାଲି ୪୬ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଜେପି ୧୯୮୪ ମସିହାରେ ନିର୍ବାଚନ ଲଢ଼ିଥିଲା। ୧୯୮୯ ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ବରେ ଦଳ ୮୬ଟି ଆସନ ଜିତିବାରେ ସଫଳ ହୋଇଥିଲା। ୨୦୧୪ ନିର୍ବାଚନରେ ୧୧୬ରୁ ମ୍ୟାଜିକ ନମ୍ବର ୨୮୧ ହୋଇଥିଲା। ଏହାପରେ ମୋଦୀ ସରକାର ହୋଇଥିଲା।
