କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଅନିୟମିତତାରେ ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଇଓଡବ୍ଲ୍ୟୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏଜେନ୍ସିର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ଅଞ୍ଜନ ବେଜ୍ କହିଛନ୍ତି। ରାଜା ନିଜକୁ ଦୋଷମୁକ୍ତ କରିବା ଉଦ୍ଦେଶ୍ୟରେ ଓକିଲଙ୍କ ଜରିଆରେ ଏଣୁ ତେଣୁ ମିଥ୍ୟା କାହାଣୀ କହି ଜନସାଧାରଣ ଏବଂ ତଦନ୍ତକାରୀ ସଂସ୍ଥାକୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ନେତା ଅଞ୍ଜନ ବେଜ୍ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି।
୨୦୧୭ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସମ୍ପାଦକ ଦାୟିତ୍ୱ ତୁଲାଉଥିଲି, କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟମାନେ ଦାୟିତ୍ୱ ନେଲେ। ଯଦିଓ ଅନ୍ୟମାନଙ୍କ ହାତରେ ଦାୟିତ୍ୱ ଥିଲା, ବାସ୍ତବ କ୍ଷମତା କିନ୍ତୁ ବିଜେଡି ନେତା ରାଜା ଚକ୍ର ଉପଭୋଗ କରୁଥିଲେ ବୋଲି ମୁଁ ନୁହେଁ, ବରଂ ଖୋଦ୍ ତଦନ୍ତକାରୀ ସଂସ୍ଥା ଇଓଡବ୍ଲ୍ୟୁ ମଧ୍ୟ ଆଗରୁ ଏକଥା ଗଣମାଧ୍ୟମକୁ ଜଣାଇଛି ବୋଲି ଅଞ୍ଜନ କହିଛନ୍ତି। ଖାଲି ସେତିକି ନୁହଁ, ଉକ୍ତ ସଂସ୍ଥାରେ କିଭଳି ଓ କେମିତି ରିଜୋଲ୍ୟୁସନ କରାଯାଏ, ତାହା ପ୍ରାୟ ସମସ୍ତେ ଜାଣିଛନ୍ତି। ମିଥ୍ୟା ଦସ୍ତଖତରେ ସମସ୍ତ ରିଜୋଲ୍ୟୁସନ ପାସ୍ ହୋଇଥାଏ ବୋଲି ଅଞ୍ଜନ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ଆକାଉଣ୍ଟରେ ମୋତେ ଯେଉଁ ଟଙ୍କା ଦେଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ କପୋଳକଳ୍ପିତ। ଏ ନେଇ ସେମାନେ ମୋ ନାମରେ ତଥ୍ୟ ନ ଦେଖାଇ ସାଧାରଣରେ କେବଳ ଭ୍ରମିତ କରୁଛନ୍ତିବୋଲି ଅଞ୍ଜନ କହିଛନ୍ତି। ଏ କ୍ଷେତ୍ରରେ ମୋର ଏବଂ ମୋ ଦଳର ରାଜନୈତିକ ଛବିକୁ ଖରାପ କରିବାକୁ ଏଭଳି ହୀନ ଉଦ୍ୟମ କରିଥିବା ଅଞ୍ଜନ ବେଜ୍ କହିଛନ୍ତି। ପୂର୍ବରୁ ମୁଁ ନିଜେ ସୌମ୍ୟ ଶଙ୍କର ଚକ୍ରଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ୩୦୮/୨୦୨୪ ଯୋଗେ ଅପହରଣ ମାମଲା ରୁଜୁ କରିଥିଲି। ସେତେବେଳେ ବିଜେଡି ସରକାର ଥିଲା। ତତ୍କାଳୀନ ବିଜେଡି ସରକାରଙ୍କ ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ ହାତ ମାରିବାକୁ ସେତେବେଳେ ପୁଲିସ ସାହସ କରି ନଥିଲା। ଯାହାର ରାଗ ଏବେ ସୁଝାଉଛନ୍ତି ରାଜା ଚକ୍ର ବୋଲି ଅଞ୍ଜନ ଅଭିଯୋଗ କରିଛନ୍ତି। ତେଣୁ ଏ କ୍ଷେତ୍ରରେ ମୁଁ ରାଜା ଚକ୍ରଙ୍କୁ ଆହ୍ୱାନ କରୁଛି, ସେ ଇଓଡବ୍ଲ୍ୟୁର ତଦନ୍ତକୁ ସମ୍ମୁଖୀନ ହୋଇ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରନ୍ତୁ। ସତ୍ୟାସତ୍ୟ ନିଶ୍ଚିତ ପଦାକୁ ଆସିବ ବୋଲି ଅଞ୍ଜନ କହିଛନ୍ତି।