ମୟୂରଭଞ୍ଜ: ବ୍ଲେଡରେ ହାତ କାଟି କ୍ଷତ ସ୍ଥାନରେ ମାରିଲେ ଲୁଣ । ବନ୍ଦ କଠୋରୀରେ ଦେଲେ ନିର୍ଯାତନା । ମୟୂରଭଞ୍ଜ ଜିଲ୍ଳା ଖୁଣ୍ଟା ଥାନା ବାସିପିଠାର ଏକ ସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସ୍କୁଲ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ଦେଇଛନ୍ତି ଏଭଳି ନିର୍ଯାତନା ।
ସୂଚନା ଅନୁସାରେ ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବାବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ । ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଉତ୍ତ୍ୟକ୍ତ ହୋଇ ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ । ଏହା ସହିତ ହାତକୁ ବ୍ଲେଡରେ କାଟି ଦେଇଥିଲେ ଏହା ପରେ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ । କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।