Evf7l82o President Droupadi Murm

ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

National & International

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ପରିବେଶ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶବିଶେଷ ବୋଲି ରାଷ୍ଟ୍ରପତି କହିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ଜନଜାତି ସମ୍ପ୍ରଦାୟ ପରିବେଶ ସହ ତାଳମେଳ ରଖି ଚଳି ଆସୁଛନ୍ତି। ସେମାନେ ପରିବେଶ, ବୃକ୍ଷଲତା ଓ ପଶୁଙ୍କ ସୁରକ୍ଷା ପାଇଁ ବେଶ୍‌ ଯତ୍ନବାନ। ସେମାନଙ୍କ ଜୀବନଶୈଳୀରୁ ଅନ୍ୟମାନେ ଶିକ୍ଷା ଲାଭ କରବା ଉଚିତ୍‌ ବୋଲି ରାଷ୍ଟ୍ରପତି ମୁର୍ମୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ବିଶ୍ବ ତାପାୟନ ପରି ସମସ୍ୟାର ସମାଧାନ ପାଇଁ ବିଭିନ୍ନସ୍ତରରେ ଉଦ୍ୟମ ଜାରି ରହିଥିବା ବେଳେ ଜନଜାତି ସମ୍ପ୍ରଦାୟଙ୍କ ଜୀବନଶୈଳୀ ଏ କ୍ଷେତ୍ରରେ ମାର୍ଗଦର୍ଶିକା ପାଲଟି ପାରିବ। ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ନିଜ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଆହ୍ବାନ ଦେଇଥିଲେ। ଭାରତ ସହ ବିଶ୍ବର ଦେଶ ପରିବେଶ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ୍‌। ତାହା ହେଲେ ମାନବ ସମାଜର ପ୍ରକୃତ ଉନ୍ନତି ହୋଇପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି। ଦେଶବାସୀଙ୍କ ସହଯୋଗରେ ଏହାକୁ ଅଧିକ ବ୍ୟାପକ କରାଯାଇ ପାରିବ। ଏହାଦ୍ବାରା ଭାରତର ସ୍ବଚ୍ଛ ଜଳ, ବାୟୁ ଓ ସବୁଜିମା ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିବ ବୋଲି ରାଷ୍ଟ୍ରପତି କହିଥିଲେ।