ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇ ପଡ଼ିରହିଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଶନିବାର ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର କାର୍ଯ୍ୟକ୍ଷମକୁ ନେଇ ସେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଏଠାରେ ପ୍ରକାଶ ଥାଉକି; ଆଗରପଡ଼ା ଠାରୁ ବରପଦା,ବନ୍ତ ଏବଂ ରାମପୁର(କାଣ୍ଡବା) ତିନୋଟି ରାସ୍ତାର ସ୍ଥାୟୀ ମରାମତି ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଛି । ନିମ୍ନ ମାନର କାର୍ଯ୍ୟ ଏବଂ ଭାରିଯାନ ଅତ୍ୟଧିକ ଓଜନ ମାଲ ନେଇ ଉକ୍ତ ରାସ୍ତାରେ ପରିବହନ କରୁଥିବାରୁ ଏହି ରାସ୍ତାର ଅବସ୍ଥା ଏହିପରି ହୋଇଅଛି । ଅନ୍ୟ ପଟେ ମରାମତି ସମୁଦାୟ ଠପ୍ ହୋଇଯାଇଅଛି । ସନ୍ଧ୍ୟା ହୋଇଗଲେ ଏହି ରାସ୍ତାରେ ସାମାନ୍ୟ ଓଜନ ଧରି ଅବା ପରିବାର ଲୋକଙ୍କୁ ପଛରେ ବସାଇ ଏହି ରାସ୍ତାରେ ଯିବା ସମ୍ଭବ ହେଉନାହିଁ । ଦୁର୍ଘଟଣା ନିଶ୍ଚିତ ଘଟିବ ଓ ଘଟୁଛି ଏଥିରେ ସନ୍ଦେହ ନାହିଁ । କେତେକ ଜାଗାରେ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି ତ’ କେଉଁଠି ମଳା ମଳା ଗଭୀର ଖାତ ରାସ୍ତା ମଝିରେ ହୋଇଯାଇଅଛି । ଏଠାରେ ପ୍ରକାଶ ଥାଉକି;ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହେବା ସହ ୯ବର୍ଷ ପରେବି କେବଳ ମରାମତିରେ ସୀମିତ ରହିଛି ଉକ୍ତ ରାସ୍ତା । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ମତକୁ ଇତି ମଧ୍ୟରେ ୩ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ତରଫରୁ ଗ୍ରହଣ କରାଯାଇନାହିଁ । ରାସ୍ତା ଅବସ୍ଥା ଶୋଚନୀୟ ହେବାରୁ ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ଖାଲି ମରାମତିରେ ବିଭାଗ ସୀମିତ ରଖିଛି । ମରାମତି ସରୁଛି କିନ୍ତୁ ମରାମତିକୁ ମାସେ କିମ୍ବା ଦୁଇ ମାସ ନପୁରୁଣୁ ତାହା ପୁଣି ତାର ପୂର୍ବ ଅବସ୍ଥାକୁ ଫେରି ଆସୁଛି । ରାସ୍ତା ସ୍ଥାୟୀ ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ଦେଇଥିବା ସୂଚନାକୁ ଇତି ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତି ଯାଇଛି ଏବଂ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଆଗରପଡ଼ା-ବରପଦା ରାସ୍ତା ବନ୍ଧା ପଡ଼ିଥିବା ବେଳେ ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଏହାର ମରାମତି କରାଯାଉଛି । ଅପରପକ୍ଷରେ ଉକ୍ତ ରାସ୍ତାର ସର୍ଭେ କାର୍ଯ୍ୟକୁ ଇତି ମଧ୍ୟରେ ୭ମାସ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗୀୟ ଉଦାସୀନତା ବିପଦକୁ ଆମନ୍ତ୍ରଣ କରିବାରେ ଲାଗିଛି । ତେଣୁ ସ୍ଥାୟୀ ରାସ୍ତା ନିର୍ମାଣକୁ କାଗଜକଲମରେ ସୀମିତ ନରଖି ଏହାର ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି ।