ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ଘୋଷଣା କରିଛନ୍ତି ।
ଏହି ଘୋଷଣା ଅନୁଯାୟୀ, ଏଣିକି ପ୍ରତ୍ୟେକ ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସମ୍ମିଳନୀରେ ଘୋଷଣା କରାଯାଇଛି।
ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘ ଦୀର୍ଘ ଦିନ ଧରି ଆଇଏସଆଇ ପ୍ରମାଣିତ ହେଲମେଟ୍ ବାଧ୍ୟତାମୂଳକ କରାଯାଉ ବୋଲି ଦାବି କରିଆସୁଥିଲେ। ଏଭଳି ସମୟରେ ଗଡକରୀଙ୍କ ଏହି ଘୋଷଣାକୁ ଭାରତୀୟ ଦୁଇ ଚକିଆ ହେଲମେଟ ନିର୍ମାତା ସଂଘର ପୂର୍ଣ୍ଣ ସମର୍ଥନ ମିଳିଛି। ଏଥି ସହିତ ଏହି ଘୋଷଣା ଅନାବଶ୍ୟକ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିବ ବୋଲି ଏକ ଆଶା ଉଙ୍କି ମାରିଛି।
ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ୪,୮୦,୦୦୦ ରୁ ଅଧିକ ସଡ଼କ ଦୁର୍ଘଟଣା ଘଟେ। ଏଥିରେ ୧,୮୮,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି। ଏଥିମଧ୍ୟରୁ ୬୬% ମୃତକଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ ରହିଥାଏ ।
ଏହି କ୍ରମରେ ଦେଖିବାକୁ ଗଲେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ ରୁ ଅଧିକ ଲୋକ ମୃତ୍ୟୁ ହୋଇଥାଏ। ଏଥିମଧ୍ୟରୁ ୫୦ପ୍ରତିଶତ ଚାଳକଙ୍କ ମୃତ୍ୟୁ ହେଲମେଟ ପିନ୍ଧି ନଥିବାରୁ ହୋଇଥାଏ।
ଦୁଇ ଚକିଆ ହେଲମେଟ୍ ନିର୍ମାତା ସଂଘର ସଭାପତି ରାଜୀବ କପୁର କହିଛନ୍ତି, “ଏହା କେବଳ ଏକ ନିୟମ ନୁହେଁ ବରଂ ଦେଶର ଆବଶ୍ୟକତା। ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଏହି ନିଷ୍ପତ୍ତି ଆଶାର କିରଣ ଯେ ଏବେ ଏପରି ଦୁଃଖଦ ଘଟଣାଗୁଡ଼ିକୁ ରୋକାଯାଇପାରିବ। ବାଇକ ଚଲାଉଥିବା ଓ ପଛରେ ବସିଥିବା ବ୍ୟକ୍ତି ଉଭୟଙ୍କ ପାଖରେ ଆଇଏସଆଇ ପ୍ରମାଣିତ ହେଲମେଟ ଥାଏ, ତେବେ ଯାତ୍ରା ନିରାପଦ ଏବଂ ଦାୟିତ୍ୱପୂର୍ଣ୍ଣ ହୋଇଯିବ।
ଗୁଣାତ୍ମକ ଆଇଏସଆଇ ହେଲମେଟର ଉତ୍ପାଦନ ବୃଦ୍ଧି କରାଯିବା ସହିତ ସାରା ଦେଶରେ ଏହାର ଉପଲବ୍ଧତା ସୁନିଶ୍ଚିତ ହେବ। ଗଡକରୀଙ୍କ ପଦକ୍ଷେପକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ କହିଲେ ଭୁଲ ହେବନାହିଁ।