ନୂଆଦିଲ୍ଲୀ: ମିଆଁମାରରେ ପୁଣି ଭୂମିକମ୍ପ ଝଟକା । ୫.୧ ତୀବ୍ରତାରେ ଥରିଲା ରାଜଧାନୀ ସମତେ ଅନେକ ଅଞ୍ଚଳ । ଏହାର କେନ୍ଦ୍ରସ୍ଥଳ ନାପିଡୋ ସହରରେ ରହିଛି । ଲଗାତାର ଭୂମିକମ୍ପ ଅନୁଭୂତ ହେଇଥିବାରୁ ଭୟଭୀତ ହୋଇଛନ୍ତି ଲୋକେ । ଘରଦ୍ବାର ଛାଡ଼ି ରାସ୍ତାକୁ ବାହାରି ଆସିଛନ୍ତି ।
ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ତାଣ୍ଡବ ରଚିଥିଲା ପ୍ରକୃତି । ଦୁଇ ଥର ଭୂମିକମ୍ପ ଝଟକାରେ ଛାରଖାର ହୋଇଛି ପଡୋଶୀ ଦେଶ । ପ୍ରଥମ ଝଟକା ଦିନ ୧୧.୫୦ ମିନିଟରେ ଲାଗିଥିଲା । ପରେ ୧୨.୦୨ ମିନିଟରେ ଦ୍ବିତୀୟ ଝଟକା ଲଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଓ ୭.୦ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ମାଣ୍ଡଲେ ସହରରୁ ପ୍ରାୟ ୧୭ କିଲୋମିଟର ମାଟି ତଳେ ରହିଛି । ମାଣ୍ଡଲେକୁ ଛାଡ଼ି ସଗାଇଂଗ, ରାଜଧାନୀ ନାପିଡୋ ସହର ସହିତ ଅନ୍ୟ ପ୍ରାନ୍ତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଏପଟେ ଭୂମିକମ୍ପରେ ଦୁଇ ଦେଶରେ ବର୍ତ୍ତମାନ ସୁଦ୍ଧା ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୦୦ ଆହତ ହୋଇଛନ୍ତି । ଏବେବି ଶତାଧିକ ଲୋକ ଧ୍ବଂସାବଶେଷ ତଳେ ଫସିରହିଛନ୍ତି । ମିଆଁମାରର ସେନା ସରକାର ଲୋକଙ୍କୁ ଉଦ୍ଧାର କରିବା ଲାଗିପଡ଼ିଛନ୍ତି । ସେପଟେ ଥାଇଲାଣ୍ଡରେ ମଧ୍ୟ ଭଗ୍ନାବଶେଷ ତଳୁ ଜୀବନ ଖୋଜା ଜାରି ରହିଛି ।
ଭୂମିକମ୍ପରେ ଛାରଖାର ହୋଇଛି ମିଆଁମାର । ଏଭଳି ସ୍ଥିତିରେ ଭାରତ ସହାୟତାର ହାତ ବଢ଼ାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ସେନା ମୁଖ୍ୟଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ୍ ମୋଦି ସୂଚନା ଦେଇଛନ୍ତି । ମିଆଁମାର ଜେନେରାଲ୍ ମିନ୍ ଅଙ୍ଗ୍ ହଲିଙ୍ଗଙ୍କୁ ମୋଦି ଆଶ୍ବାସନା ଦେଇଛନ୍ତି । ଏହା ପୂର୍ବରୁ ଭାରତ ସରକାର ଅପରେସନ ‘ବ୍ରହ୍ମା’ ଜରିଆରେ ସେଠାକୁ ମାନବୀୟ ସହାୟତା, ରିଲିଫ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ପଠାଯାଉଛି ।
ଭାରତ ସହାୟତା ପାଇଁ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି । ଭାରତୀୟ ବାୟୁସେନାର ହିଣ୍ଡନ ଷ୍ଟେସନରୁ ଏକ ଭାରତୀୟ ବାୟୁସେନା (IAF) C-130J ବିମାନରେ ରିଲିଫ ସାମଗ୍ରୀ ପଠାଯାଇଛି । ରିଲିଫ ପ୍ୟାକେଜରେ ତମ୍ବୁ, ଶୋଇବା ବ୍ୟାଗ, କମ୍ବଳ, ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧନକାରୀ, ସ୍ବଚ୍ଛତା କିଟ୍, ସୋଲାର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ପାରାସିଟାମଲ, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ରହିଛି ।