Ff

ବିଇଓଙ୍କ ଜାଲ୍ ଦସ୍ତଖତ ପ୍ରସଙ୍ଗ, ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

State

ଆଗରପଡ଼ା :ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ଜାଲ କରିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା । ନୋସିର ଉତ୍ତର ସନ୍ତୋଷ ଜନକ ନଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଜନ ସୂଚନା ଅଧିକାରୀ(ପ୍ରଧାନଶିକ୍ଷକ)ଙ୍କ ଦରମା ବନ୍ଦ କରିଥିବା ଜଣାପଡ଼ିଛି । ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ନିଜେ ମାରି ଦେଇ ଜଣେ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନାଙ୍କ ବିରୁଦ୍ଧରେ । ଏହିପରି ଜାଲିଆତିର କାରଣ ସମ୍ପର୍କରେ ୩ଦିନ ମଧ୍ୟରେ ଉତ୍ତର ରଖିବାକୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିଲେ । ପରେ ଶ୍ରୀ ଜେନା ତାଙ୍କ ଉତ୍ତରେ ଏହିପରି କୌଣସି ଜାଲିଆତି ହୋଇନଥିବା ପ୍ରକାଶ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗ ଉପରେ ତର୍ଜମା କରାଯିବା ପରେ ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ଜାଲ କରାଯାଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଥିବା ଜଣାପଡ଼ିଛି । ତେଣୁ ଏହିପରି ଜାଲିଆତି ବା ଅନିୟମିତତା ପାଇଁ କାହିଁକି ବିଦ୍ୟାଳୟ ଜନ ସୂଚନା ଅଧିକାରୀ(ପ୍ରଧାନଶିକ୍ଷକ)ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାର ଉତ୍ତର ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରୀ କରିବା ସହିତ କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନ ପାଇବା ପର୍ଯ୍ୟନ୍ତ ମାର୍ଚ୍ଚ ମାସ ଠାରୁ ତାଙ୍କର ଦରମା ବନ୍ଦ ପାଇଁ ଆଦେଶ ଦେବା ସହ ପରବର୍ତ୍ତୀ ଆଦେଣ ପର୍ଯ୍ୟନ୍ତ ବିଦ୍ୟାଳୟର ଦରମା ପ୍ରଦାନ ନକରିବାକୁ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।

ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ କନିଷ୍ଠ ସହାୟକ ସୁଶାନ୍ତ କୁମାର ଦାସ ବର୍ଷ ୨୦୧୯ରୁ ଡ଼େପୁଟେସନରେ ବିଇଓ,ଧାମନଗରରେ କାର୍ଯ୍ୟରତ ଥିଲେ । ନିୟମାନୁସାରେ ତାଙ୍କର ଅନୁପସ୍ଥିତ ବିବୃତି ବିଇଓ,ଧାମନଗରଙ୍କ କାର୍ଯ୍ୟାଳୟରୁ ପଠାଯିବା ପରେ ଶ୍ରୀ ଦାସ ଦରମା ପାଇବା କଥା କିନ୍ତୁ ଉକ୍ତ କାର୍ଯ୍ୟାଳୟରୁ କୌଣସି ବିବୃତ୍ତି ଦିଆଯାଇନଥିବା ସ୍ଥଳେ ପ୍ରଧାନଶିକ୍ଷକ ଶ୍ରୀ ଦାସଙ୍କ ଅଗ୍ରୀମ ଦରମା କରାଇଦେଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ସୂଚନା ଅଧିକାର ଆଇନ ବଳରେ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଓ ବିଇଓ, ଧାମନଗରଙ୍କୁ ଶ୍ରୀ ଦାସଙ୍କ ଅନୁପସ୍ଥିତ ବିବୃତି ମଗାଯାଇଥିଲା । ପରବର୍ତ୍ତୀ ସମୟରେ ହସ୍ତଗତ ତଥ୍ୟ ଅନୁଯାୟୀ ବିଇଓ,ଧାମନଗର ଦେଇଥିବା ଅନୁପସ୍ଥିତ ବିବୃତି କୁ ଜାଲିଆତି କରି ବିଇଓ,ଧାମନଗରଙ୍କ ଦସ୍ତଖତ ଓ ସେ ମାରିଥିବା ତାରିଖରେ ପ୍ରଧାନଶିକ୍ଷକ ଶ୍ରୀ ଯେନା ହେରଫେର କରିଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଶ୍ରୀ ଧଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ଗ୍ରହଣ କରି (ପଂଜିକୃତ ସଂଖ୍ୟା ଡ଼ିଏମ୨୦୨୩୩୭୯୦୭୪)ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ନିର୍ଦ୍ଦେଶାନୁସାରେ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ ଶ୍ରୀ ଯେନାଙ୍କୁ ତାଙ୍କର ଏହିପରି କାର୍ଯ୍ୟର(ଜାଲିଆତି)ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।