ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଏବଂ ଥାଇଲାଣ୍ଡରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ସ୍ଥିତିରେ ଭାରତ ଦୁଇ ଦେଶକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ।
ପ୍ରଧାନମନ୍ତ୍ରୀ ମୋଦି X ରେ କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଦୁଇ ଦେଶର ସରକାରଙ୍କ ସହିତ କଥା ହେବା ପାଇଁ MEA କୁ କୁହାଯାଇଛି ।
ଏହି ସମ୍ବନ୍ଧରେ ଭାରତୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟରୁ ମିଆଁମାର ଏବଂ ଥାଇଲାଣ୍ଡ ସରକାରଙ୍କ ସହିତ ସଂପର୍କରେ ରହିବାକୁ କୁହାଯାଇଛି ।
ତେବେ ମିଆଁମାର ଗୋଟିଏ ଥର ନୁହେଁ ବରଂ ଦୁଇଦୁଇ ଥର ଭୂକମ୍ପ ହୋଇଥିବା କୁହାଯାଉଛି । ରିକ୍ଟର ସ୍କେଲ୍ରେ ତୀବ୍ରତା ୭.୨ ଓ ୭.୦ ରେକର୍ଡ କରାଯାଇଛି ।
ଭୂକମ୍ପ କାରଣରୁ ମିଆଁମାରର ମାଣ୍ଡଲେରେ ଇରାଓ୍ବଡି ନଦୀ ଉପରେ ଥିବା ଆଭା ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଭୂକମ୍ପରେ ଅନେକ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବ୍ୟାଂକକ୍ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଚୀନ୍ ଏବଂ ତାଇୱାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।
ଭୂକମ୍ପ ଯୋଗୁଁ ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା କରାଯାଇଛି । ଏମରଜେନ୍ସୀ ଘୋଷଣା କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କୋଠା ଭାଙ୍ଗିବା ଯୋଗୁଁ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଆଗକୁ ଆହୁରି ଅଧିକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।