Earthq

ଥରିଲା ଥାଇଲାଣ୍ଡ: ଆଖି ଆଗରେ ଧୂଳିସାତ୍ ହେଲା ସୁଉଚ୍ଚ ଅଟ୍ଟାଳିକା

National & International

ମିଆଁମାର: ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା, ସ୍ଥିର ଥିବା ଦୁନିଆଟା ଦୋହଲିବାକୁ ଲାଗିଲା । ସାରା ସହର ଥରି ଉଠିଲା ଆଉ ଆଖି ପିଛୁଳାକେ ଘରଦ୍ବାର, କୋଠାବାଡି, ଗଛଲତା, ବ୍ରିଜ, ବିଜୁଳି ଖୁଣ୍ଟି ଭାଙ୍ଗିବାକୁ ଲାଗିଲା ଆଉ ଧୁସଧାସ ହୋଇ ଭୁଶୁ଼ଡି ପଡିଲା ।

ମିଆଁମାରରେ ଦୁଇ ଦୁଇ ଥରର ଭୂକମ୍ପ ଝଟକା ପରେ ପରିସ୍ଥିତି ଭୟଙ୍କର ହୋଇଛି । ରାସ୍ତା ଫାଟି ଆଁ କରିଛି ତ କେଉଁଠି ବିରାଟ ବଡ ଅଟ୍ଟାଳିକା ଭୁଶୁଡି ପଡିଛି । ଆଉ ଏତିକି ବେଳେ ଯେଉଁ ଦୃଶ୍ୟଟି ସବୁଠୁ ଅଧିକ ଭାଇରାଲ ହେଉଛି ଏବଂ ସବୁଠୁ ଅଧିକ ଲୋକଙ୍କୁ ବିଚଳିତ କରୁଛି ତାହା ହେଲା ନିମିଷକ ମଧ୍ୟରେ ତାସ ଘର ପରି ଏକ ନିର୍ମାଣାଧୀନ ଅଟ୍ଟାଳିକା ଭାଙ୍ଗିଯିବା ।

ତେବେ ବ୍ୟାଙ୍କକର ଥିବା ଏକ ନିର୍ମାଣାଧୀନ ସୁଉଚ୍ଚ ବିଲ୍ଡିଂ ଚାହୁଁଚାହୁଁ ଭୂକମ୍ପର ଝଟକାରେ ଦୋହଲିଯାଇଛି । ଆଉ ହଠାତ୍ ଭାଙ୍ଗିଯିବା ପରେ ସାରା ଆକାଶ ଧୂଆଁ ମୟ ହୋଇଯାଉଛି । ପ୍ରଚଣ୍ଡ ଶବ୍ଦରେ ଚାରିଆଡ ପ୍ରକମ୍ପିତ ହୋଇଥିବା ବେଳେ ଧୂଳିଧୂଆଁରେ ପୋତି ଯାଇଛି ସାରା ଅଞ୍ଚଳ । କୋଠାଟି ଭୁଶୁଡିବା ପରେ ଲୋକେ ଛାନିଆରେ ଧାଉଁଥିବା ଦେଖିବାକୁ ମିଳିଛି । ତେବେ ଭୁଶୁଡି ପଡିଥିବା ନିର୍ମାଣାଧୀନ ଅଟ୍ଟାଳିକାରେ ପ୍ରାୟ ୫୦ ପାଖାପାଖି ଶ୍ରମିକ କାମ କରୁଥିଲେ ଯେଉଁମାନଙ୍କର କୌଣସି ପତ୍ତ ମିଳୁନଥିବା ସୂଚନା ମିଳିଛି ।

ସେପଟେ ଆଜି ୭.୭ ତୀବ୍ରତାର ଭୂକମ୍ପ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଅନୁଭୂତ ହୋଇଥିଲା । ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଦିଲ୍ଲୀ ଏନ୍‌ସିଆରରେ ଏହାର କମ୍ପନ ଅନୁଭୂତ ହୋଇଛି । ମିଆଁମାରର ସାଗାଇଙ୍ଗ୍‌ ସହରର ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ଭୂମିକମ୍ପ ଝଟକା ପରେ ଭୟରେ ଲୋକମାନେ ଅଫିସ୍ ଏବଂ ଦୋକାନଗୁଡିକ ବାହାରକୁ ବାହାରି ଆସିଥିଲେ ।