Images (3)

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ

State

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିବାକୁ ଯାଉଛି ମଧ୍ୟାହ୍ନ ଭୋଜନର ରୂପରେଖ। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍‌ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ ଏବଂ ଅଣ୍ଡା ଦିଆଯିବ ।
ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା।
ସୂଚନାଯୋଗ୍ୟ ରାଜ୍ୟ ସରକାର ପ୍ରଥମରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବେ। କେବଳ ସେତିକି ନୁହେଁ, ନିଷ୍ପତ୍ତି ଅନୁଯାୟୀ, ପିଲାମାନଙ୍କୁ ଗୋଟିଏ ଅଣ୍ଡା ଅଧିକ ଦିଆଯିବ। ସବୁ ଶୁକ୍ରବାର ଦିନ ପିଲାମାନଙ୍କୁ ଗୋଟିଏ ଅଣ୍ଡା ଅଧିକ ମିଳିବ।
ଏବେ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପ୍ରତ୍ୟେକ ପିଲାଙ୍କୁ ୨ଟି ଲେଖାଏଁ ଅଣ୍ଡା ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ବୁଧବାର ଓ ଶନିବାର ଏହି ଅଣ୍ଡା ଯୋଗାଇ ଦିଆଯାଉଛି। ପିଏମ ପୋଷଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।
ସେହିପରି ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ ୧ରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷଣ ଲଡୁ ଦିଆଯିବ। ଗୋଟିଏ ଲଡୁର ଦାମ ୩ ଟଙ୍କା ୫୦ ପଇସା ରହିବ ଓ ପୋଷଣ ଲଡୁ କେବଳ ସକାଳ ବେଳା ଦିଆଯିବ।