Thumb 72

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

State

ଭୁବନେଶ୍ୱର,୨୭ା୩ :  ରାଜଧାନୀ ରାଜରାସ୍ତାରେ ଉଗ୍ର ରୂପ ଧାରଣ କରିଛି କଂଗ୍ରେସ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଘେରାଉ ପାଇଁ ପଦଯାତ୍ରା କରିଛନ୍ତି। କଂଗ୍ରେସର ବିଧାନସଭା ଘେରାଉବେଳେ ଲୋୟର ପିଏମଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ କର୍ମୀଙ୍କୁ ରୋକିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରିବାସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି ପୁଲିସ। ଲୋୟର ପିଏମଜିରେ ଚେୟାର ଫିଙ୍ଗା ସହ ଟେକା ପଥର ମାଡ଼ ହୋଇଛି। ଏଥିରେ ଅନେକ କଂଗ୍ରେସ କର୍ମୀଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଓ ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଉତ୍ୟକ୍ତ କର୍ମୀମାନେ ପୁଲିସକୁ ଅଣ୍ଡା ମାଡ଼ କରିଛନ୍ତି। ଅପରପକ୍ଷେ କଂଗ୍ରେସର କେତେକ ତୁଙ୍ଗ ନେତାଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।

ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ଗାଡ଼ି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀମାନେ। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ତାହା ହୋଇ ପାରି ନ ଥିଲା। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସିସିଟିଭି ଯାଞ୍ଚ ଚାଲିଛି ବୋଲି ଡିସିପି କହିଛନ୍ତି।

ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଦାସ ଗିରଫ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ  ଅନ୍ୟମାନଙ୍କୁ ଗିରଫ କରିଛି ପୋଲିସ। ଭକ୍ତ ଦାସ କହିଛନ୍ତି, ଗିରଫଦାରୀକୁ ଆମର ଭୟ ନାହିଁ ।