Death 4

ଏକା ସଙ୍ଗେ ଚାଲିଗଲେ ବାପା ପୁଅ, ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅକୁ ଆସିଲା ହାର୍ଟଆଟାକ୍

State

ଆନନ୍ଦପୁର: ଘର ଆଗରେ ବନ୍ଧା ହେଉଛି ଦୁଇ ଦୁଇଟି କୋକେଇ । ଦୁଆରେ ଥୁଆ ହୋଇଛି ମାଠିଆ । ରୁଣ୍ଡ ହୋଇଛନ୍ତି ଗାଁ ଲୋକେ । କାନ୍ଦ ବୋବାଳିରେ ଫାଟିପଡୁଛି ସମଗ୍ର ଅଞ୍ଚଳ । କିଏ ବା ଜାଣିଥିଲା ଦଇବ ଏମିତି ଦାଉ ସାଜିବ ବୋଲି । ଗୋଟିଏ ପରିବାରର ଦୁଇ ଦୁଇ ଜଣ ଆଉ ଏ ଦୁନିଆରେ ନାହାନ୍ତି । ଆଗ ପଛ ହୋଇ ଚାଲିଗଲେ ବାପା ପୁଅ । ସତରେ ଛାତି ଫାଟିଗଲା ଭଳି ଏ ଦୃଶ୍ୟ ଦେଖି ସାହି ଭାଇ ଗାଁ ଲୋକେ ସମସ୍ତେ ଯେମିତି ସ୍ତବ୍ଧ ପାଲଟିଯାଇଛନ୍ତି । କ’ଣ ଏହି ପରିବାରକୁ ଏମିତି ଦୁଃଖ ଆସିବାର ଥିଲା । ଯାହାକୁ କିଏ କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି ।

ହେଲେ ବିଧିର ବିଧାନ ବୋଧେ ଏୟା ଥିଲା ଏକାସାଥିରେ ଆରପାରିକୁ ଚାଲିଗଲେ ବାପ ପୁଅ । ଏଭଳି ଏକ ଦୁଃଖଦାୟକ ଘଟଣା ଆନନ୍ଦପୁର ପୌରପରିଷଦ ୬ ନମ୍ବର ୱାର୍ଡ଼ରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଏହି ଗାଁର ରାଜେଶ ସାହୁ ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ । ଯେଉଁଥିପାଇଁ ସବୁବେଳେ ପୁଅ ଚିନ୍ତାରେ ରହୁଥିଲେ ବାପା । ଏଥି ସହିତ ଅଟୋ ଚଲାଇ ନିଜ ପରିବାର ମଧ୍ୟ ପ୍ରତିପୋଷଣ କରୁଥିଲେ । ରାଜେଶଙ୍କର ଗୋଟିଏ ପୁଅ ଗୋଟିଏ ଝିଅ । ଝିଅ ଗତ ବର୍ଷ ବାହା ହୋଇଯାଇଥିବା ବେଳେ ପୁଅ ଏବେ ପାଠ ପଢୁଛି ।

ଅନ୍ୟପଟେ ରାଜେଶଙ୍କ ଏଭଳି କିଡନୀ ରୋଗ ହେତୁ ବାପା ଜଟିଆ ସବୁବେଳେ ଚିନ୍ତାରେ ରହୁଥିଲେ । ଶେଷରେ ଗତକାଲି ପୁଅ ଚିନ୍ତାରେ ଜଟିଆ ମୃତ୍ୟୁବରଣ କରିଥିଲେ । ଅସୁସ୍ଥ ଅବସ୍ଥାରେ ରାଜେଶ ଯେତେବେଳେ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ ଆଉ ସହିପାରିନଥିଲେ । ହାର୍ଟଆଟାକରେ ସେହିଠାରେ ହିଁ ପ୍ରାଣ ହରାଇଥିଲେ । ହଁ ଆଜ୍ଞା ବାପାର ମୃତ୍ୟୁ ଖବର ଶୁଣି ପୁଅକୁ ଆସିଲା ହାର୍ଟଆଟାକ୍ ଆଉ ଏକାଠି ଚାଲିଗଲେ ବାପା ପୁଅ । ଯାହାପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । କେମିତି ବା କିଏ ଧୈର୍ଯ୍ୟ ଧରିବ ଗୋଟିଏ ଦିନରେ ମୁରବି ଶୂନ୍ୟ ହୋଇଯାଇଛି ପରିବାର ।

ଥରେ ଭାବନ୍ତୁ କେତେ ବଡ ଦୁଃଖର ପାହାଡ ଲଦି ପଡିଥିବ ଏ ପରିବାର ଉପରେ । ଏକାବେଳେ ଘରର ମୁରବୀ ସହିତ ଚାଲିଗଲେ ପୁଅ । ସହଜରେ ଏହି ଦୁଃଖଦ ଘଟଣାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା । ଏନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାରର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଅଚାନକ ବାପା ପୁଅଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛି ଏହି ପରିବାର । ତେବେ ଯଦି ପ୍ରଶାସନ ଏମାନଙ୍କୁ କିଛି ସହାୟତା ଯୋଗାଇଦିଅନ୍ତା ତେବେ ପୁଅଟି ପାଠ ପଢି କୂଳରେ ଲାଗିଯାଆନ୍ତା ।