ଆଗରପଡ଼ା :ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିବାରେ ଲାଗିଛି । ଆଗକୁ ଏହାର ପ୍ରଭାବ ଆହୁରି ବଢିବ । ପୂର୍ବାହ୍ନ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିବ । ଏହିଭଳି ପରିସ୍ଥିତିରେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକେ ଶୋଷ ମେଣ୍ଟାଇବାକୁ ବିଭିନ୍ନ ବୋତଲ ପାଣି ଓ ମୃଦୁ ପାନୀୟ ଉପରେ ନିର୍ଭର କରିବେ । ଏହାକୁ ଆଖିଆଗରେ ରଖି କିଛି ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ ଦୋକାନରେ ଶସ୍ତାରେ ପାଣି ବୋତଲ ଓ ପାଣି ପାଉଚ୍ ମିଳୁଛି । ତେବେ ଏହାର ବିଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠୁଛି । ପ୍ରଥମତଃ ପାଣି ବୋତଲ ପ୍ରସ୍ତୁତ ପାଇଁ ବ୍ୟୁରୋ ଆଣ୍ଡ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ପକ୍ଷରୁ ଅନୁମତି ଆଣିବାକୁ ପଡ଼ିଥାଏ । ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନଳକୂପ ପାଣି,ଆରଓ ମେସିନ,ପାଣି ବୋତଲ ପ୍ରସ୍ତୁତ ପରେ ପରୀକ୍ଷା କରାଯାଇ ପାଣି ବିକ୍ରି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାକୁ ଲାଇସେନ୍ସ ମିଳିଥାଏ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି । ପ୍ରତି ବୋତଲ ଓ ପାଉଚ ପ୍ୟାକେଟ୍ ଉପରେ ପ୍ରସ୍ତୁତି ଓ ବ୍ୟବହାରର ସମ୍ପୂର୍ଣ୍ଣ ବିବରଣୀ ରହିବା ନିୟମ ରହିଛି । କିନ୍ତୁ ଅଧିକାଂଶ କମ୍ପାନୀର ପାଣି ବୋତଲ ଓ ପାଉଚ୍ ଉପରେ ଏହା ଦେଖିବାକୁ ମିଳୁନାହିଁ । ବନ୍ତ ବ୍ଳକର ବିଭିନ୍ନ ଅଂଚଳରେ ବହୁ ପାଣି ବୋତଲ ପ୍ରସ୍ତୁତକାରୀ କମ୍ପାନୀ ଥିଲେ ସୁଦ୍ଧା ସେମାନେ ସରମାରୀ ନିୟମକୁ ଅବମାନନା କରିବା ଅଭିଯୋଗ ହେଉଛି ।
ଏ ବାବଦରେ ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବିଆଇଏସ(ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଟାର୍ଡ଼)ଲାଇସେନ୍ସ ପ୍ରାପ୍ତ ବୋତଲ ପ୍ରସ୍ତୁତକାରୀ କମ୍ପାନୀରେ ବିଭାଗ ପକ୍ଷରୁ ୨ଥର ଯାଂଚ ନିୟମ ରହିଛି । ଯାଂଚ ସମୟରେ କମ୍ପାନୀର ସ୍ୱଚ୍ଛତା ଓ ଆରଓ ମେସିନ ତଦାରଖକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏଥି ସହିତ ବିଆରଏସ୍ର ଲାଇସେନ୍ସ ଯାଂଚ କରାଯିବା ନିୟମ ମଧ୍ୟ ରହିଛି । ତାହା ମଧ୍ୟ ଠିକ୍ ଭାବେ ହେଉନଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ବର୍ତ୍ତମାନ ବନ୍ତ ବ୍ଳକର ବିଭିନ୍ନ ଅଂଚଳରେ ସୋଡ଼ା ମୃଦୁ ପାନୀୟର ଚାହିଦା ବହୁତ ପରିମାଣରେ ବଢିଯାଇଛି । ଯଦ୍ୱାରା ସୋଡ଼ା ପ୍ରସ୍ତୁତକାରୀ ସଂସ୍ଥା ସରକାରୀ ନିୟମକୁ ନମାନି ନିଜର ମନମାନୀ ଚଳାଉଥିବା ଅଭିଯୋଗ ହେଉଛି । କିଛି ଡ଼ାକ୍ତରଙ୍କ କହିବା ଅନୁଯାୟୀ ପ୍ଲାଷ୍ଟିକ ବୋତଲ ପାଣିରେ ଆଦ୍ରତା ନଥାଏ । ଖରାଦିନେ ଜଳୀୟ ଅଂଶ କମ୍ ରହୁଥିବାରୁ କମ୍ ଆଦ୍ରତାଯୁକ୍ତ ପାଣି ପିଇବା ଦ୍ୱାରା ଖାଦ୍ୟ ବିଷାକ୍ତ ସହ ଜଣ୍ଡିସ ଓ ଟାଇଫଏଡ଼ ଭଳି ରୋଗର ଆଶଙ୍କା ରହିଛି । ତେଣୁ ବନ୍ତ ବ୍ଳକର ବିଭିନ୍ନ ଅଂଚଳରେ ସରକାରୀ ନିୟମକୁ ନମାନି ବହୁ ଅସାଧୁ ବ୍ୟବସାୟୀ ଶସ୍ତାରେ ବୋତଲ ପାଣି ପ୍ରସ୍ତୁତ କରୁଥିବାରୁ ବିଭାଗ ପକ୍ଷରୁ ଯାଂଚକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।