Photo For The News Of Lemon

କାଗେଜି ଲେମ୍ବୁ ଦରକୁ ନେଇ ଚିନ୍ତାରେ ଗ୍ରାହକ

State

ଆଗରପଡ଼ା :ଭଦ୍ରକ ଜିଲ୍ଲାରେ କାଗେଜି ଲେମ୍ବୁ ଦର ଆକାଶଛୁଆଁ ହୋଇଛି । ଏହାର ପ୍ରଭାବ ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ଯାହାକି ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି । ଏବେ ବଜାରରେ ଗୋଟିଏ ଲେମ୍ବୁ ୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ବନ୍ତ ବ୍ଲକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିଲେ ସୁଦ୍ଧା ଚଳିତ ବର୍ଷ ଅଦିନିଆ ବର୍ଷାର ପ୍ରଭାବ ଚାଷ କ୍ଷେତ୍ରରେ ପଡ଼ିଥିବାରୁ ଲେମ୍ବୁର ଉତ୍ପାଦନ ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ହୋଇଛି । ତେଣୁ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଆମଦାନୀ କରାଯାଉଛି । ଯଦ୍ୱାରା ବେପାରୀମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ବେପାରୀମାନେ ଚଢା ଦରରେ କିଣୁଥିବାରୁ ବର୍ତ୍ତମାନ ୩/୪ଟି ଛୋଟ ଛୋଟ ଲେମ୍ବୁକୁ ଗ୍ରାହକମାନଙ୍କୁ ୨୦ଟଙ୍କା ପାଖାପାଖି ଖର୍ଚ୍ଚ କରିବାକୁ ପଡ଼ୁଛି । ଏହି ଛୋଟ ଛୋଟ ଲେମ୍ବୁରୁ ଆବଶ୍ୟକୀୟ ପାଣି ମଧ୍ୟ ବାହାରୁନଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ଦିନକୁ ଦିନ ଖରାର ପ୍ରଭାବ ବଢୁଥିବା ବେଳେ ଲେମ୍ବୁର ଆବଶ୍ୟକତା ମଧ୍ୟ ବଢୁଛି କିନ୍ତୁ ଲେମ୍ବୁର ଅଭାବି ବିକ୍ରୀ ଚିନ୍ତାର କାରଣ ପାଲଟିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ରହିଥିବାରୁ ଏହାର ଅଭାବ ବେପାରୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ପୂର୍ବରୁ ଖରାଦିନେ ଲେମ୍ବୁ ସର୍ବତ ଦୋକାନ ମାନ କରି କିଛି ଲୋକ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ଚଳିତ ବର୍ଷ ଖରାର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଲେମ୍ବୁର ଅଭାବୀ ବିକ୍ରୀ ସାଙ୍ଗକୁ ଚଢା ଦର ଯୋଗୁଁ ଆଉ ଲେମ୍ବୁ ସର୍ବତ ଦୋକାନ ଦେଖିବାକୁ ମିଳୁନି । ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁ ଆଦିକୁ ଖାଇବାକୁ ଗଲେ ସାଲାଟ୍‌ରେ ଆଉ ଲେମ୍ବୁ ଦେଖିବାକୁ ମିଳୁନି । ଆଧୁନିକ ଯୁଗରେ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଯାଇ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗରେ ଆକାନ୍ତ ହେଉଥିବା ବେଳେ ଲେମ୍ବୁ ଏପରି ଏକ ଫଳ ଯାହା ବହୁ ରୋଗ ଉପଶମ କରିବାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଏହିପରି କ୍ଷେତ୍ରରେ ଏହାର ଅଭାବ ମଧ୍ୟ ବହୁ ମାତ୍ରାରେ ପରିଲକ୍ଷିତ ହେଉଛି । ବନ୍ତ ବ୍ଲକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବା ବେଳେ ଏଠାକାର ଚାଷୀ ପନିପରିବା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଲେମ୍ବୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବାରୁ ଏହାର ଉତ୍ପାନଦ କମ୍ ହେଉଥିବା ଜଣାପଡ଼ିଛି । ତେଣୁ ବିଭିନ୍ନ କ୍ଷେତ୍ରରେ ଏହାର ଅଭାବ ପରିଲକ୍ଷିତ ହେଉଛି । କୃଷି ବିଭାଗ ପକ୍ଷରୁ ଖରାଦିନରେ ଲେମ୍ବୁର ଉତ୍ପାଦନ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଇପାରିଲେ ଏହାର ଅଭାବରେ ପରିବର୍ତ୍ତନ ଆସିପାରନ୍ତା ବୋଲି ବୁଦ୍ଧିଜୀବୀଙ୍କ ସମେତ ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି । ତେଣୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଖରାଦିନରେ ଲେମ୍ବୁର ଉତ୍ପାଦନମାତ୍ରାରେ ପରିବର୍ତ୍ତନ ଆଣିବା ପାଇଁ କୃଷି ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।