Kanduri Jeja 1

ପଞ୍ଚଭୂତରେ ଲୀନ ହେଲେ ଅୟେଶକାନ୍ତ, ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସଂପନ୍ନ

State

ପୁରୀ : ପଞ୍ଚଭୂତରେ ଲୀନ ହେଲା କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟେଶକାନ୍ତ ସ୍ବାଇଁଙ୍କ ମରଶରୀର  ।  ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବଶର ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।  ଅୟେଶକାନ୍ତଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।  ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ ପରିବାର ଲୋକ, ସଂପର୍କୀୟ ଓ ଶୁଭେଚ୍ଛୁ ।  ଆଜି ମରଶରୀରକୁ ପୁରୀ ମେଡିକାଲରୁ ସ୍ବର୍ଗଦ୍ବାରକୁ ନିଆଯାଇଥିଲା ।

କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଉପସ୍ଥିତ ରହିବା ସହ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।  ଗତକାଲି ୫୨ ବର୍ଷ ବୟସରେ ହୃଦଘାତରେ ଅୟେଶକାନ୍ତଙ୍କ ପରଲୋକ ହୋଇଥିଲା। ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟେଶକାନ୍ତ ।  ରିହରସାଲ ବେଳେ ଡାଇଲଗ୍ କହୁ କହୁ ହଠାତ୍ ତଳେ ପଡ଼ିଯାଇଥିଲେ ।  ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ଡାକ୍ତରଖାନାକୁ ନିଆଯାଇଥିଲା

ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କଳିଙ୍ଗ ଟିଭିର ସଚେତନତାମୂଳକ,ହାସ୍ୟରସାତ୍ମକ ଲୋକପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜର ମୁଖ୍ୟ କଳାକାର ଥଲେ ଅୟେଶକାନ୍ତ ।  ଦ୍ବେତ ଭୂମିକାର ଚିତ୍ତାକର୍ଷକ ଅଭିନୟ ଖୁବ କମ ଦିନରେ ତାଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା ।  କୋଭିଡ ସମୟର ‘କରୋନା ଜେଜ ଏବଂ ପରେ କଣ୍ଡୁରୀ ଜେଜ ଭାବରେ ନିୟମିତ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ଜିଣି ଆସୁଥିଲେ ।

ବିଶେଷ କରି ହାସ୍ୟରସାତ୍ମକ ଶୈଳୀରେ ସମାଜକୁ ସଚେତନ କଲା ଭଳି ତାଙ୍କର ନିଖୁଣ ଅଭିନୟକୁ ସମସ୍ତେ ପସନ୍ଦ ଓ ପ୍ରଶଂସା କରୁଥିଲେ ।  ଯେଉଁଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।  ତାଙ୍କ କାର୍ଯ୍ୟକ୍ରମ ତଥା ଅଭିନୟ ପାଇଁ ମଧ୍ୟ ସେ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ ।