ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଂସଦର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନର ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ । ଏହି ପୁରାତନ ଛାତ୍ର ସଂସଦ ବୈଠକରେ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ଓ ଗୃହୀତ ହୋଇଥିଲା । ଏହି ବୈଠକରେ ବିଭାଗର ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା, ସହକାରୀ ଡ. କୁକୁ ମହାପାତ୍ର, ଡ. ଗାର୍ଗୀ ମହାନ୍ତି ସାୟେଦା ଫୌଜିଆ ମାନୱାର ଓ ଜ୍ୟୋତିପ୍ରଜ୍ଞା ମାଝୀ ଉପସ୍ଥିତ ଥିଲେ । ଏହି ଅବସରରେ ପୁରାତନ ଛାତ୍ରସଂସଦର ମୁଖପତ୍ର ଉନ୍ମୋଚିତ ହୋଇଥିଲା ।
ପୁରାତନ ଛାତ୍ରସଂସଦର ସଭାପତି ଡ. ଗାର୍ଗୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜର ପ୍ରାଣୀବିଜ୍ଞାନ ବିଭାଗ ସହ ସହଭାଗିତାରେ ଆଲୋଚନାଚକ୍ରମାନ ଆୟୋଜନ କରିବ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇ ଥିଲେ । ସମ୍ପାଦକ ଓମ ପ୍ରକାଶ ଶତପଥୀ ଏବଂ ଅନ୍ୟ ସଦସ୍ୟଗଣ ଯଥା ଡ. ଶୁଭ୍ରକାନ୍ତ ଜେନା, ଡ. ବୁଦ୍ଧଦେବ ବରାଳ, ଡ. ବିଜେତା ଦେବ, ଓଁକାର ଅନ୍ଵେସ, ଇପ୍ସିତା ଦାସ, ହିମାଂଶୁ ଶେଖର ସାହୁ, ଶିବ ନାରାୟଣ ମିଶ୍ର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକ ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରସଂସଦକୁ ୫୫ ହଜାର ଟଙ୍କା ଅନୁଦାନ ଆକାରରେ ପ୍ରଦାନ କରିଥିଲେ ।