- ପ୍ରଭାବିତ ଲୋକଙ୍କୁ ଅତିଶୀଘ୍ର ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ
ବାରିପଦା: ଆଜି ମାନ୍ୟବର ରାଜସ୍ବ ଓ ଵିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗତ ୨୦-୦୩-୨୦୨୫ ରିଖ ପ୍ରବଳ କୁଆପଥର ଝଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବାଙ୍ଗରିପୋଷୀ ବ୍ଲକର ସୋରାସପୋଷି, ହାଣଦା, ମହୁଲବରେଇ, ସିଲପୁଞ୍ଜି, ମଣଦା ଆଦି ଗାଁ ଏବଂ ବିଶୋଇ ବ୍ଲକର ଖଡମବେଡା, ପୁଣ୍ଡିଦା,କେଶରଗଡିଆ,ସାରସପଡା, ମୂଷାମାରି, ଯୋଡ଼ିଆ ଇତ୍ୟାଦି କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ସେଦିନ ପ୍ରକୃତିର ଏହି ତାଣ୍ଡବ ଲୀଳା କେତେଯେ ଭୟଙ୍କର ଥିଲା ତାହା ବର୍ତମାନ ପରିସ୍ଥିତିରୁ ଅନୁମେୟ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅଭାବନୀୟ ପରିସ୍ଥିତିର ନିରୀକ୍ଷଣ ଅବସରରେ ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କ ସହ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ,ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ କରଞ୍ଜିଆ ଶ୍ରୀ ପଦ୍ମ ଚରଣ ହାଇବୁରୁ,ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ,ବିଧାୟିକା ବାଙ୍ଗରିପୋଷୀ ସଂଞ୍ଜଳି ମୁର୍ମୁଙ୍କ ସହ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା,ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ରାମ ଚନ୍ଦ୍ର ସୋରେନ,ଶ୍ରୀ କାନ୍ଦ୍ରା ସୋରେନ ଏବଂ ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପ୍ରାକୃତିକ ଦୁର୍ଯୋଗର ଶିକାର ହୋଇଥିବା ଗରିବ ଲୋକଙ୍କୁ ଭେଟି ମନ୍ତ୍ରୀ ଏହି ଦୁର୍ଦଶା ପାଇଁ ସେମାନଙ୍କୁ ସମବେଦନା ଜଣାଇବା ସହିତ ପ୍ରଶାସନ ତରଫରୁ ଆବଶ୍ୟକ ସରକାରୀ ସହାୟତା ଯଥା ପଲିଥିନ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଶିଶୁ ଖାଦ୍ୟ, ପିଇବା ପାଣି, ଔଷଧ ଇତ୍ୟାଦି ମିଳିଛି କି ନାହିଁ ପଚାରି ବୁଝିଥିଲେ ଏବଂ ସୁହାନୁଭୂତି ପ୍ରଦର୍ଶନ ପୂର୍ବକ ବର୍ତମାନ ପରିସ୍ଥିତି ରେ ଧର୍ଯ୍ୟହରା ନହେବା ପାଇଁ ଆଶ୍ୱାସନା ଦେଇଥିଲେ। ଲୋକମାନଙ୍କ ଏହି ଦୁଃଖଦ ପରିସ୍ଥିତି ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି ଏବଂ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସରକାରୀ ସହାୟତା ତଥା କ୍ଷତିପୂରଣ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରଭାବିତ ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଘର ମରାମତି ସର୍ବପ୍ରଥମ ଆବଶ୍ୟକତା ଥିବାରୁ ପ୍ରାଥମିକତା ଭିତ୍ତିରେ ଏ ବାବଦ ରେ କ୍ଷତିପୂରଣ ରାଶି ତୁରନ୍ତ ଡି ବି ଟି ଜରିଆରେ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ଅନ୍ୟାନ୍ୟ ବାବଦ ରେ କ୍ଷତି ପୂରଣ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ କୌଣସି କ୍ଷତି ଗ୍ରସ୍ତ ଲୋକ ଯେମିତି କ୍ଷତି ପୂରଣ ପାଇବାରୁ ବାଦ ନ ପଡନ୍ତି ସେଥି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏତଦ ବ୍ୟତୀତ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପ୍ରଭାବିତ ଲୋକମାନେ ଚାହିଁଲେ ଶେଲଟର ସେଣ୍ଟରରେ ରହି ପାରିବେ ଏବଂ ସମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବ।