- ବର୍ଷେ ହେବ ବିଇଓ ପଦବୀ ଖାଲି ପଡ଼ିଛି
ଆଗରପଡ଼ା :ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରାଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାଗୁଡ଼ିକ ଫଳପ୍ରଦ ହୋଇ ପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖୁବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ । ବିଭିନ୍ନ ଦୃଷ୍ଟି କୋଣରୁ ଉକ୍ତ ଶିକ୍ଷା ବିଭାଗ ବର୍ତ୍ତମାନ ଜୋମାରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ବନ୍ତ ବ୍ଲକ ଶିକ୍ଷାଧିକାରଙ୍କ ଅଧିନରେ ପ୍ରାଥମିକ, ଉଚ୍ଚପ୍ରାଥମିକ, ଉଚ୍ଚବିଦ୍ୟାଳୟ, ବ୍ଲକଗ୍ରାଣ୍ଟସ୍କୁଲ, ୮ଗୋଟିି ଜୁନିୟର କଲେଜ ଓ ଘରୋଇ ବିଦ୍ୟାଳୟକୁ ମିଶାଇ ମୋଟ ୨୪୦ଟି ଶିକ୍ଷାନୁଷ୍ଠାନ ରହିଛି । ଉକ୍ତ ଶିକ୍ଷାନୁଷ୍ଠାନରେ୨୪୩୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଭିନ୍ନ ବର୍ଗର ୧୩୬୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଶିକ୍ଷାଦାନ ବ୍ୟତୀତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ପୋଷାକ, ପାଠ୍ୟ ସାମଗ୍ରୀ ବଣ୍ଟନ ଆଦି ଦାୟିତ୍ୱ ଶିକ୍ଷକମାନେ ତୁଲାଉଥିଲା ବେଳେ ଏହାକୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିଚାଳନା ମଧ୍ୟ କରୁଛି । ଏହିପରି ସ୍ଥଳେ ଗତ ବର୍ଷ ମାର୍ଚ୍ଚ ମାସ ୩ ତାରିଖରେ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଇଓ ଚାକିରିରୁ ଅବସର ନେବା ପରେ ଉକ୍ତ ପଦବୀ ଅଦ୍ୟାବଧି ଖାଲି ପଡ଼ିଛି । ଏକ ବର୍ଷ ଭିତରେ ତିନି ତିନି ଜଣ ଡ଼େପୁଟେସନରେ ଉକ୍ତ ଦାଇତ୍ୱ ତୁଲାଇଥିବା ଜଣାପଡ଼ିଛି । ବର୍ଷ ୨୦୨୩ ଏପ୍ରିଲ ମାସ ୧ ତାରିଖରୁ ଫେବୃଆରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜଣେ, ତାପରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବିଆରସିସିସ ଅତିରିକ୍ତ ଦାଇତ୍ୱ (ବିଇଓ)ତୁଲାଇଥିବା ବେଳେ ପେବୃଆରୀ ମାସ ୨୮ ତାରିଖରୁ ଭଦ୍ରକ ଜିଲ୍ଲା ସ୍ଥିତ ନାରାୟଣ ଚନ୍ଦ୍ର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡ଼େପୁଟେସନରେ ଉକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ସେହିପରି କାର୍ଯ୍ୟାଳୟରେ ଏକମାତ୍ର ସେକ୍ସନ ଅଫିସର ଓ ବରିଷ୍ଠ ସହାୟକ ପଦବୀ ଦୀର୍ଘ ମାସ ଧରି ଫାଙ୍କା ପଡ଼ିଥିବା ବେଳେ ଡେପୁଟେସନରେ ୨ ଜଣ କନିଷ୍ଠ ସହାୟକ ଓ ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚାଲିଛି । ଯଦ୍ୱାରା ବିଭିନ୍ନ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ଡ଼େପୁଟେସନ କର୍ମଚାରୀଙ୍କ ଭରସାରେ ଚାଲିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ତେଣୁ ମୁରବି ଶୂନ୍ୟ କାର୍ଯ୍ୟାଳୟରେ କୌଣସି ଅଧିକାରୀଙ୍କୁ ଯୋଗାଯୋଗ କଲେ ଯୋଗାଯୋଗ ସମ୍ଭବପର ହୋଇପାରୁନଥିବା ଓ ଯଦି ଯୋଗାଯୋଗ ହେଉଛି କୌଣସି ପ୍ରଶ୍ନର ସଠିକ ଉତ୍ତର ମିଳିପାରୁନଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ପିଲାମାନେ ପ୍ରଶ୍ନପତ୍ର ପାଇପାରେ ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ଉକ୍ତ ସମସ୍ୟା ବିଷୟରେ କାର୍ଯ୍ୟାଳୟର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ପର ହୋଇନଥିଲା । ଏହିପରି ବହୁ ସମସ୍ୟା ମଧ୍ୟରେ ବ୍ଲକ ଶିକ୍ଷା ବିଭାଗ ଗତି କରୁଥିବାରୁ ନୂତନ ଶିକ୍ଷାବର୍ଷ ଆରମ୍ଭରୁ ଏଠାରେ ଖାଲିଥିବା ବିଭିନ୍ନ ପଦୀକୁ ପୁରଣ କରିବା ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଶିକ୍ଷାବିତ୍ଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।