Thund

ବଜ୍ରପାତରୁ ଅଗ୍ନିକାଣ୍ଡ, ପଶୁ ଜୀବନ୍ତ ଦଗ୍ଧ

State

ଆଗରପଡ଼ା :ଗତ ଶୁକ୍ରବାର ରାତିରୁ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି । ବଡ଼ଗଛମାନ ଉପୁଡ଼ି ପଡ଼ି ରାସ୍ତା ଉପରେ ପଡ଼ିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଗରପଡ଼ା-ଆନନ୍ଦପୁର ରାସ୍ତା କାନପୁର ଚେକଗେଟ୍ ନିକଟସ୍ଥ ରାସ୍ତା ଉପରେ ବଡ଼ଗଛ ଉପୁଡ଼ି ପଡ଼ିଥିଲା ଯଦ୍ଦ୍ୱାରା ଏଠାରୁ ହଦଗଡ଼, ବଉଳା, ଆନନ୍ଦପୁର ଆଦି ସ୍ଥାନକୁ ଯାନବାହନ ଚଳାଚଳ ବ୍ୟାହତ ହୋଇ ପଡ଼ିଥିଲା । ଗଛକାଟି ରାସ୍ତା ସଫା ହେବାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏଥି ସହିତ ରବିଫସଲ ସହ ପନିପରିବା ଚାଷ ନଷ୍ଟ ହୋଇଛି । କିଛି ସ୍ଥାନରେ କଚ୍ଚା ଘର ମଧ୍ୟ ଭୂଷ୍ଣୁଡ଼ି ପଡ଼ିଛି । ଗୋପିନାଥପୁର ସ୍ଥିତ ସାହୁପଡ଼ା ଗ୍ରାମର ଭାଗବତ ଦାସଙ୍କ ଗୁହାଳ ଘରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗାଈ, କୁକୁଡ଼ା ଓ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବାର ଜଣାପଡ଼ିଛି । ଦମକଳବାହିନୀ ଖବରପାଇ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା ।