ଆଗରପଡ଼ା :ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲର ପ୍ରତିଷ୍ଠାକୁ ଇତି ମଧ୍ୟରେ ୨୮ ବର୍ଷ ପୂରିବା ସହ ନୂତନ ଗୃହ ନିର୍ମାଣର ଶୁଭ ଉଦ୍ଘାଟନକୁ ୧୫ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଏହାର ରୂପରେଖରେ କୌଣସି ପରିବର୍ତ୍ତନ ହୋଇପାରୁନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟର ନବକଳେବର ହେଉଥିବାରୁ ବହୁ ବର୍ଶ ପରେ ଏହାର ରୂପରେଖରେ ପରିବର୍ତ୍ତନ ହୋଇଛି । କିନ୍ତୁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏହାର ଅଭାବ ପୂରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହୀ କାର୍ଯ୍ୟାଳୟ ଉପରେ ୬ଟି ଆରଆଇ ସର୍କଲ ,୨୦୬ଟି ରାଜସ୍ୱ ଗ୍ରାମର ଏକଲକ୍ଷରୁ ଉର୍ଦ୍ଧ୍ୱ ଜନ ସଂଖ୍ୟା ନିର୍ଭର କରିଥାନ୍ତି । ବର୍ଷବର୍ଷ ଧରି କର୍ମଚାରୀଙ୍କ ଅଭାବ ପରିପୂରଣ ହୋଇପାରୁନଥିବାରୁ ଏହି କାର୍ଯ୍ୟାଳୟ ଅଧିନରେ ୧୪ରୁ ଊର୍ଦ୍ଧ୍ୱ ବିଭାଗ ଥିବା ବେଳେ ବିଭିନ୍ନ କାର୍ଯ୍ୟ ସୁଚାରୁରୁପେ ସଂପାଦନ ମଧ୍ୟ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଫଳରେ ବହୁ ଦୂରଦୁରାନ୍ତରରୁ ବିଭିନ୍ନ କାର୍ଯ୍ୟନେଇ ତହସିଲକୁ ଆସୁଥିବା ଲୋକେ ନିରାଶରେ ଫେରୁଛନ୍ତି ।
ଏହି କାର୍ଯ୍ୟାଳୟରେ କିରାଣୀ ଓ ଅମିନଙ୍କ ଅଭାବ ଦୀର୍ଘବର୍ଷ ହେବ ପରିଲକ୍ଷିତ ହେଉଛି । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବର୍ଷବର୍ଷ ଧରି ପଡ଼ିରହିଥିବା ମାମଲାର ବିଚାରରେ ଅହେତୁକ ବିଳମ୍ବ ହେଉଛି । ପୂର୍ବ ବର୍ଷରୁ ପଡ଼ିରହିଥିବା ଶତାଧିକ ଡ଼ିମାର୍କେସନ ମାମାଲାର ଫଇସଲା ହୋଇପାରୁନି । ସେହିପରି କର୍ମଚାରୀ ଅଭାବରୁ ଖତିଆନ,ବିଭନ୍ନ ମାମାଲାର ଆଦେଶ,ରେକଡ଼ପତ୍ର ସଂଶୋଧନ, ସ୍ଥାୟୀ ବାସିନ୍ଦା,ଜାତିଗତ,ଅର୍ଥନୈତିକ,ଉତ୍ତରାଧିକାରୀ ,ଜନ୍ମ ଓ ମୃତ୍ୟୁ ଆଦେଶ ପ୍ରଦାନରେ ନାନା ସମସ୍ୟା ଦେଖାଯାଉଛି । ସେହି ପରି ୬ଟି ଆରଆଇ ଅଫିସରେ ମଧ୍ୟ କର୍ମଚାରୀ ଅଭାବ ଲାଗି ରହିଛି । ତେଣୁ ତହସିଲ ସମେତ ଆରଆଇ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।