Judge 1742631825

ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍‌ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ

National & International

ନୂଆଦିଲ୍ଲୀ : ବିବାଦରେ ଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହାକୁ ନେଇ ସେ ଅଡ଼ୁଆରେ ପଡ଼ିଥିବା ବେଳେ ତାଙ୍କ ସମ୍ପର୍କରେ ନୂଆ ତଥ୍ୟ ଆସିଛି। ସୁଗାର ମିଲ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୨୦୧୮ରେ ଗୋଟିଏ ଏଫଆଇଆର କରିଥିଲା। ଏହି ଏଫଆଇଆରରେ ଜଷ୍ଟିସ ବର୍ମାଙ୍କ ନାଁ ରହିଥିଲା। ସିବିଆଇ ସିମ୍ଭାଓଲି ସୁଗାର ମିଲ ଓ ଏହାର ନିର୍ଦ୍ଦେଶକ ଓ ଯଶବନ୍ତ ବର୍ମାଙ୍କ ନାଁରେ ଏଫଆଇଆର କରିଥିଲା। ଜଷ୍ଟିସ ବର୍ମା ଉକ୍ତ କମ୍ପାନୀରେ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ରହିଥିଲେ। ତେଣୁ ତାଙ୍କ ନାଁ ଏଫଆଇଆରର ୧୦ ନମ୍ବର ସ୍ଥାନରେ ରହିଥିଲା। ଗୋଟିଏ ଋଣ ସ୍କିମ ମାଧ୍ୟମରେ ସୁଗାର ମିଲ ଠକେଇ କରିଥିବା ପ୍ରଥମେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ବା ଓବିସି ଅଭିଯୋଗ କରିଥିଲା।
ଏହାପରେ ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ଅଭିଯୋଗରେ ଦର୍ଶାଇଥିଲା ଯେ ୨୦୧୨ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଓବିସିର ହାପୁର ବ୍ରାଞ୍ଚ ୫,୭୬୨ ଜଣ ଚାଷୀଙ୍କୁ କୀଟନାଶକ ଓ ମଞ୍ଜି କିଣିବାକୁ ୧୪୮.୫୯ କୋଟି ଟଙ୍କା ଦେଇଥିଲା। ଚୁକ୍ତି ଅନୁସାରେ ଏହି ଅର୍ଥକୁ ପ୍ରଥମେ ଗୋଟିଏ ସୁରକ୍ଷିତ ଆକାଉଣ୍ଟକୁ ପଠାଯିବ ଓ ଏହାପରେ ଚାଷୀମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ଯିବ। ସିମ୍ଭାଓଲି ସୁଗାର ମିଲ ଋଣ ପରିଶୋଧର ଗ୍ୟାରେଣ୍ଟୀ ନେଇଥିଲା ଓ ଋଣ ପରିଶୋଧ ଚାଷୀମାନଙ୍କୁ ଚିହ୍ନଟ କରିବ ବୋଲି କହିଥିଲା। ଏହି ସମୟରେ ଯଶବନ୍ତ ବର୍ମା ଉକ୍ତ କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଥିଲେ। କମ୍ପାନୀ ଠକେଇ କରିବା ପାଇଁ ନକଲି KYC ଦସ୍ତାବିଜ ଦେଇଥିଲା ଓ ବ୍ୟାଙ୍କରୁ ଆସିଥିବା ପାଣ୍ଠିକୁ ହେରଫେର କରିଥିବା ଅଭିଯୋଗ ହୋଇଛି। ଚାଷୀଙ୍କ ପାଇଁ ଆସିଥିବା ଟଙ୍କାକୁ କମ୍ପାନୀ ଅନ୍ୟ ଆକାଉଣ୍ଟକୁ ପଠାଇ ଦେଇଥିଲା। ୨୦୧୫ ମାର୍ଚ୍ଚ ସୁଦ୍ଧା ଓବିସି ଋଣ ନେଣଦେଣରେ ବ୍ୟାପକ ହେରଫେର ହୋଇଥିବା ଘୋଷଣା କରିଥିଲା। ୯୭.୮୫ କୋଟି ଟଙ୍କା କ୍ଷତି ହୋଇଥିଲା ଓ ୧୦୯.୦୮ କୋଟି ଟଙ୍କା ବାକି ରହିଥିଲା।
ଏହି ଠକେଇ ମାମଲାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ୧୨ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ୧୦ ନମ୍ବର ସ୍ଥାନରେ ଯଶବନ୍ତ ବର୍ମାଙ୍କ ନାଁ ରହିଥିଲା। ଏଫଆଇଆରରେ ଅନ୍ୟତମ ଅଭିଯୁକ୍ତ ଭାବେ ଗୁରପାଲ ସିଂହ ରହିଥିଲେ। ସେ କମ୍ପାନୀର ଡେପୁଟି ମ୍ୟାନେଜିଂ ଡାରେକ୍ଟର। ଗୁରପାଲ ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଜ୍ୱାଇଁ। ସିବିଆଇର ଏଫଆଇଆର ଆଧାରରେ ଇଡି ସମାନ୍ତରଳ ଭାବେ ମନି ଲଣ୍ଡରିଂ ମାମଲା ତଦନ୍ତ ଆରମ୍ଭ କରିଥିଲା।
୨୦୨୩ ମସିହା ଡିସେମ୍ବର ମାସରେ ଆହ୍ଲାବାଦ ହାଇକୋର୍ଟ ଋଣ ଅନୁମୋଦନ ଲିଙ୍କରେ ୭ଟି ବ୍ୟାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସେତେବେଳେ କହିଥିଲେ ଯେ ଏପରି ଠକେଇ ନ୍ୟାୟପାଳିକାର ଅନ୍ତରଆତ୍ମାକୁ ଦୋହଲାଇ ଦେଇଛି। କୋର୍ଟ ଜାଣିବାକୁ ପାଇଥିଲେ ଯେ ଏକାଧିକ ବ୍ୟାଙ୍କ କର୍ମଚାରୀ ସିମ୍ଭାଓଲି ସୁଗାର ମିଲ ସହ ମିଶି ୯୦୦ କୋଟି ଟଙ୍କାର ଋଣକୁ ମଞ୍ଜୁରୀ ଦେଇଛନ୍ତି। ହେଲେ ଓବିସି ଏକମାତ୍ର ବ୍ୟାଙ୍କ ଯିଏ ଋଣ ଜାଲିଆତି କଥା ଉଠାଇ ଇଡିର ଦ୍ୱାରସ୍ଥ ହୋଇଥିଲା। ଏଥିଯୋଗୁ କିଛି ସମ୍ପତ୍ତି ଜବତ ହୋଇପାରି ଥିଲା।
କୋର୍ଟ ନିଜ ରୟରେ କହିଥିଲେ, “ବ୍ୟାଙ୍କ ଅଧିକାରୀମାନେ ସଂପୂର୍ଣ୍ଣ ଭାବେ ଆରବିଆଇ ଗାଇଡଲାଇନ ଓ ସର୍କୁଲାରକୁ ଅଣଦେଖା କରିଛନ୍ତି। କେଉଁ ସବୁ ଅଧିକାରୀମାଦେ ଋଣକୁ ମଞ୍ଜୁରୀ ଦେଇଛନ୍ତି, ତା’ର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଉଛୁ। ବୋର୍ଡର କେଉଁ ସଦସ୍ୟ କିମ୍ବା କେଉଁ କ୍ରେଡିଟ କମିଟି ଟଙ୍କା ଛାଡ଼ିଛନ୍ତି? ଜାଲିଆତିକୁ କେଉଁ ସବୁ ଅଧିକାରୀମାନେ ଯାଞ୍ଚ କରି ନଥିଲେ, ତା’ର ମଧ୍ୟ ତଦନ୍ତ ହେବ।”
ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ପୁଣିଥରେ ୨୦୨୪ ଫେବୃଆରୀ ମାସରେ ନୂଆ କରି ତଦନ୍ତ ଆରମ୍ଭ କରିଥିଲା। ସିମ୍ଭାଓଲି ସୁଗାର ମିଲ ଋଣ ଜାଲିଆତି କରିଥିବା ୨୦୧୫ରୁ ଜଣାପଡ଼ିବା ପରେ ବି କାହିଁକି ୨୦୦୯ରୁ ୨୦୧୭ ଯାଏ ବ୍ୟାଙ୍କଗୁଡ଼ିକ କମ୍ପାନୀକୁ ଋଣ ମଞ୍ଜୁର କରି ଚାଲିଥିଲେ, ସେକଥା ଜାଣିବାକୁ ସିବିଆଇ ଲାଗି ପଡ଼ିଥିଲା। ତଦନ୍ତ ବେଳେ ସିବିଆଇ କମ୍ପାନୀ, ଏହାର ନିର୍ଦ୍ଦେଶକ ଓ ଅଜଣା ବ୍ୟାଙ୍କ କର୍ମଚାରୀଙ୍କ ନାଁ ଏଫଆଇଆରରେ ଦର୍ଶାଇଥିଲା। ତେବେ ସୁପ୍ରିମକୋର୍ଟ ୨୦୨୪ ମାର୍ଚ୍ଚ ମାସରେ ଏଥିରେ ହସ୍ତକ୍ଷେପ କରିଥିଲେ ଓ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଥିଲେ।
ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସଚ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ରାତି ପ୍ରାୟ ୧୧.୪୩ରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସିଥିଲେ। ନିଆଁକୁ ଆୟତ୍ତ କରିବା ପରେ ଅଖା ଭିତରୁ ପୁଳାପୁଳା ନଗଦ ଟଙ୍କା ମିଳିଥିଲା। କିଛି ଟଙ୍କା ଭର୍ତ୍ତି ଅଖା ମଧ୍ୟ ଜଳି ଯାଇଥିଲା। କେହି ବି ଅଗ୍ନିକାଣ୍ଡରେ ଆହତ ହୋଇ ନଥିବାରୁ କୌଣସି ଏଫଆଇଆର ହୋଇନି।
ତଥାପି ଘରୁ ମିଳିଥିବା ପୁଳାପୁଳା ଟଙ୍କାର ଭିଡିଓ ରେକର୍ଡ କରାଯାଇଥିଲା ଓ ଏହାକୁ ବରିଷ୍ଠ ଦିଲ୍ଲୀ ପୁଲିସ୍‌ ଅଧିକାରୀଙ୍କୁ ଦେଖାଯାଇଥିଲା। ବରିଷ୍ଠ ଅଧିକାରୀମାନେ ସରକାର ଓ ପ୍ରଧାନ ବିଚାରପତିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସିଜେଆଇ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଣ ଦେଇଛନ୍ତି। କୁହାଯାଉଛି ଯେ ଜଷ୍ଟିସ ବର୍ମାଙ୍କ ଘରକୁ ୧୫ କୋଟି ଟଙ୍କା ମିଳିଛି।