ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା ଏସ୍ଡିପିଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଅଧୀନ ଗାଜଲବାଡି ପଞ୍ଚାୟତର ଖଜୁରୀପଲି ଗ୍ରାମ ନିକଟସ୍ଥ କୋଟାମଣି ପାହାଡ ଅଞ୍ଚଳରେ ଶନିବାର କେତେଜଣ ଗ୍ରାମବାସ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଜଙ୍ଗଲ ଭିତରେ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ ଚାଲିଆସି ଗାଜଲବାଡି ସରପଞ୍ଚକୁ ଜଣାଇଥିଲେ। ଏହି ସମ୍ପର୍କରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ।
ପରେ ଘଟଣାସ୍ଥଳରେ ସୋରଡ଼ା ଥାନା ଅଧିକାରୀ ସାହୁ ଓ ଏସ୍ଡିପିଓ ଜେନା ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ଗୋଟିଏ ମଣିଷ ଖପୁରି ଓ ପଞ୍ଜରା ହାଡ ଠାବ କରି ତଦନ୍ତ କରିଛନ୍ତି। ଏଥିସହ ଆଖପାଖ ସ୍ଥାନରେ ଖୋଜାଖୋଜି କରି ପୋଲିସ ମୋବାଇଲ ଫୋନ, ପ୍ୟାଣ୍ଟଶାର୍ଟ, ବେକର ମାଳି ଓ ଗୋଟିଏ ବ୍ରେସଲେଟ୍ ମଧ୍ୟ ପାଇଛି। ମିଳିଥିବା ଜିନିଷକୁ ଦେଖିଲେ ଏଠାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ମୃତଦେହ ପୋଡି ଦେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସାଇଣ୍ଟିଫିକ ଟିମ୍କୁ ଅବଗତ କରାଯାଇଛି। ମିଳିଥିବା ସାମଗ୍ରୀରୁ ମୃତକଙ୍କ ବୟସ ୨୦ରୁ ୨୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ୨୮ା୧୧ା୨୪ରେ ଗାଜଲବାଡି ନିକଟସ୍ଥ ସିକୁଳାପଦର ଜଙ୍ଗଲରୁ ଜଣେ ଦରପୋଡା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହାର ତିନିମାସ ପରେ ପୁଣି ଥରେ ଆଉ ଜଣେ ବ୍ୟକ୍ତିଙ୍କ ଖପୁରି ଓ ପଞ୍ଜାରା ହାଡ଼ ଜଙ୍ଗଲରୁ ଠାବ ହେବା ଏହା ପଛରେ ଏକ ର଼୍ୟାକେଟ୍ କାମ କରୁଥିବା ସନ୍ଦେହକୁ ଦୃଢୀଭୂତ କରୁଛି।