R1

ହାଇକୋର୍ଟଙ୍କ ଆଦେଶକୁ ଅବମାନନା, ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କୁ ହାଜର କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ

State

ଆଗରପଡ଼ା :ଯୁକ୍ତ ୩ ପ୍ରମାଣପତ୍ର ପ୍ରଦାନକୁ ନେଇ କନକଲତା ସାମଲ ହାଇକୋର୍ଟରେ ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ମାମଲାରେ ଭଦ୍ରକ ଜିଲ୍ଲା ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କ ହାଇକୋର୍ଟରେ ହାଜର ହେବା ଜରୁରୀ ଥିବା ହେତୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେବା ସତ୍ତ୍ୱେ ଅଧ୍ୟକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ହାଇକୋର୍ଟ ତିକ୍ତତା ପ୍ରକାଶ କରିବା ସହିତ ଗତ ୧୨ ତାରିଖରେ ତାଙ୍କ ଆଦେଶ ନାମାରେ ଆଗରପଡ଼ା ଥାନା ଅଧିକାରୀଙ୍କୁ ତାଙ୍କୁ(ଅଧ୍ୟକ୍ଷ) ଆସନ୍ତା ୨୧ ତାରିଖ ଦିନ ଉକ୍ତ ମାମଲାର ବିଚାର ସମୟରେ କୋର୍ଟରେ ଉପସ୍ଥିତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଅଭିଯୋଗକାରୀ କନକଲତା ସାମଲ ଯୁକ୍ତ ୩ କଳାର ମୂଳ ପ୍ରମାଣପତ୍ର ପ୍ରଦାନ ପାଇଁ କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟଙ୍କୁ ପକ୍ଷ କରି ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ ।

କନକଲତା ଗତ ୧୯୯୦ ମସିହାରେ +୩ କଳାର ଶେଷ ବର୍ଷର ପରୀକ୍ଷା ଆଗରପଡ଼ା କଲେଜ,ଆଗରପଡ଼ାରେ ଦେଇଥିଲେ । ଏବଂ ସେ ସେଥିରେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜାରୀ କରାଯାଇଥିବା ପ୍ରୋଭିଜନାଲ ପ୍ରମାଣପତ୍ରକୁ ସେ ଆଗରପଡ଼ା କଲେଜରୁ ପ୍ରାପ୍ତ କରିଥିଲେ ବୋଲି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ପରେ କନକଲତା ଏହାର ମୂଳ ପ୍ରମାଣପତ୍ର ପାଇଁ ଆବଶ୍ୟକ ଅର୍ଥ ଦାଖଲ କରିଥିଲେ ମଧ୍ୟ କଲେଜ ପକ୍ଷରୁ ତାଙ୍କୁ ତାହା ପ୍ରଦାନ କରାଯାଇନଥିଲା । ଅପରପକ୍ଷ(କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟ)ଙ୍କ କହିବା ଅନୁଯାୟୀ କନକଲତା ୧୯୮୯ ମସିହାରେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ ଏବଂ ତାଙ୍କର ଗୋଟିଏ ପେପର ବ୍ୟାକ ରହିଯାଇଥିଲା ଏବଂ ୧୯୯୦ ମସିହାରେ ଦେଇଥିବା ପରୀକ୍ଷାରେ ମଧ୍ୟ ସେ କୃତକାର୍ଯ୍ୟ ହୋଇନାହାନ୍ତି । ସେ କୋର୍ଟକୁ ପ୍ରଦାନ କରିଥିବା ପ୍ରୋଭିଜନାଲ ପ୍ରମାଣପତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କେବେବି ତାଙ୍କୁ ପ୍ରଦାନ କରାଯାଇନଥିବା ପ୍ରକାଶ କରିଥିଲେ । ତେଣୁ କନକଲତା କୌଣସି ପାସ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କ ସାକ୍ଷ୍ୟରେ ଉଲ୍ଲେଖ କରିଥିଲେ । କିନ୍ତୁ କନକଲତା ପ୍ରାପ୍ତ କରିଥିବା ପ୍ରୋଭିଜନାଲ ପ୍ରମାଣପତ୍ରଟିକୁ ଆଗରପଡ଼ା କଲେଜ ପକ୍ଷରୁ ପ୍ରଦାନ କରାଯାଇଥିବାରୁ କଲେଜ ଅଧ୍ୟକ୍ଷଙ୍କୁ ୨ୟ ପକ୍ଷ କରାଯାଇଥିଲା । ଏବଂ ଉକ୍ତ ମାମଲାରେ ତାଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ କଲେଜ ଅଧ୍ୟକ୍ଷ ଏହାକୁ ଜରୁରୀ ମନେ ନକରି ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି ପ୍ରତି ତାରିଖରେ କୋର୍ଟରେ ଅନୁପସ୍ଥିତ ରହିବାରୁ ଗତ ୧୨ ତାରିଖରେ ହାଇକୋର୍ଟ ତାଙ୍କ ଆଦେଶ ନାମାରେ ଆଗରପଡ଼ା ଥାନା ଅଧିକାରୀଙ୍କୁ ତାଙ୍କୁ(ଅଧ୍ୟକ୍ଷ) ଆସନ୍ତା ୨୧ ତାରିଖ ଦିନ ଉକ୍ତ ମାମଲାର ବିଚାର ସମୟରେ କୋର୍ଟରେ ଉପସ୍ଥିତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।