Image 2025 03 20t165854.863

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

State

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମଠାରେ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିଲେ ।

ଏଥି ସଙ୍ଗେସଙ୍ଗେ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା, ‘ସମାନ କାମକୁ ସମାନ ବେତନ’ ନୀତି ଲାଗୁ କରିବା, ୟୁଜିସି ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା, ପେନସନ ପାଉନଥିବା ବେସରକାରୀ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପେନସନ ପ୍ରଦାନ କରିବା, ବିଶ୍ବବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଶିକ୍ଷକ ଓ କୁଳପତି ନିଯୁକ୍ତ କରିବା, ବେସରକାରୀ କଲେଜର ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କୁ ଯଥାକ୍ରମେ ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ରୂପେ ନାମିତ କରିବା, ଶିକ୍ଷକ-ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟାବଳୀର ସମାଧାନ କରିବା ଆଦି ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ପ୍ରତିନିଧିଦଳରେ ଡକ୍ଟର ସରୋଜ କୁମାର ଦାସ, ଡକ୍ଟର ବିପ୍ଳବ କୁମାର ଗୁରୁ, ଡକ୍ଟର ବିଶ୍ୱମୋହନ ଜେନା, ଡକ୍ଟର ବିକଳି ଚରଣ ଦାସ, ମଦନମୋହନ ମହଲା ଓ ଡକ୍ଟର ନାରାୟଣ ମହାନ୍ତି ଅନ୍ତର୍ଭୁକ୍ତ ଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ବୋଲି ମହାସଂଘ ପକ୍ଷରୁ ଆଜି ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।