Bana Jabat 1

ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ, ବିପୁଳ ପରିମାଣର ବାଣ, ବାରୁଦ ଜବତ

State

ପୁରୀ : ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ । ଦୀର୍ଘ ୨ ବର୍ଷ ହେବ ଚାଲିଥିଲା ବାଣ ଗୋଦାମ । ଏକଥାର ଟେର ପାଇନଥିଲେ କେହି । ପୁରୀ କୁମ୍ଭାରପଡ଼ା ବାଡା ସାହି କନକଦୁର୍ଗା ଲେନ୍ ରେ ଅବସରପ୍ରାପ୍ତ ପୋଲିସ ଡିଏସପି ସ୍ୱର୍ଗତଃ ଚକ୍ରଧର ମହାପାତ୍ରଙ୍କ ଘରେ ଦୁଇ ବର୍ଷ ହେବ ପୂଜା ସାମଗ୍ରୀ ଗୋଦାମ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ । ଆଜି ତାଙ୍କ ଘରୁ ବିପୁଳ ପରିମାଣର ବାଣ, ବାରୁଦ,ବାଣ ତିଆରି ସାମଗ୍ରୀ ଜବତ ହୋଇଛି।

ଅବସରପ୍ରାପ୍ତ ପୋଲିସ ଡିଏସପି ସ୍ୱର୍ଗତଃ ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଭଡା ଦେଇଥିଲେ। ବାଣ ଓ ବିସ୍ପୋରକ ସାମଗ୍ରୀ ଜବତ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା।

କୁମ୍ଭାରପଡ଼ା ଏକ ଘନ ଜନବସତିପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ମଧ୍ୟ ଏହି ଅଞ୍ଚଳର କୌଣସି ଲୋକ ଭଡା ଘରେ ଏଭଳି ବାଣ ଗୋଦାମ ଚାଲି ଥିବା ଜାଣିପାରିନଥିଲେ। ଲେଙ୍କା ସାହିର ଅଜିତ ସେନାପତି ଦୀର୍ଘ ୨ ବର୍ଷ ହେବ ସେ ଘର ଭଡା ନେଇଥିଲା। ପୂଜା ସାମଗ୍ରୀ ଗୋଦାମ ନାଁରେ ଭଡା ନେଇ ସେ ବାଣ କାରବାର କରୁଥିଲେ। ତାଙ୍କୁ ପୋଲିସ ଅଟକ ରଖିଛି। ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ। ଘର ମାଲିକ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

ଶ୍ରୀକ୍ଷେତ୍ର ଭଉଁରୀ ଦିନ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ କୁମ୍ଭାରପଡ଼ା ପରି ଏକ ଜନବସତି ଅଞ୍ଚଳରେ ଭଡା ଘରେ କିଭଳି ସମସ୍ତଙ୍କ ଅଜାଣତରେ ବାଣ ଗୋଦାମ ଚାଲିଥିଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ଭଡା ଘରକୁ ସିଲ୍ କରାଯାଇଛି। ବେପାରୀ ଅଜିତ ସେନାପତି ସଫେଇରେ କହିଛନ୍ତି ସେ ଦୁଇ ବର୍ଷ ହେବ ଭଡା ନେଇ ପୂଜା ସାମଗ୍ରୀ ବିକୁଥିଲେ। ତେବେ ଜଟଣୀରୁ ଚଳିତ ବର୍ଷ ଆଣିଥିବା ବାଣ ବଳକା ରହିଯାଇଥିଲା। ସେ ସମସ୍ତ ବାଣକୁ ଭଡା ଘରେ ରଖିଥିଲେ ।